ସାବଧାନ ! ଏହି ରାଜ୍ୟରେ ଯଦି କରୋନା ସଂକ୍ରମିତ ଛେପ ପକାନ୍ତି ତେବେ…

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବା ସହ ପ୍ରଶାସନର ସମସ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ହିମାଚଳର ଡିଜିପି ସୀତାରାମ ମାର୍ଡି କରୋନା ପଜିଟିଭ ରୋଗୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି କହିଛନ୍ତି ଯେ ଯଦି ଜଣେ କରୋନା ରୋଗୀ କୌଣସି ପୋଲିସ୍, ଡାକ୍ତର କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଉପରେ ଛେପ ପକାନ୍ତି, ତେବେ  ସେହି ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଉଦ୍ୟମ  ମାମଲା ରୁଜୁ ହେବ । ଯଦି ସେହି କାରଣରୁ ଅନ୍ୟ କେହି ବ୍ୟକ୍ତି ପ୍ରାଣ ହରାନ୍ତି, ସେହି ଲୋକ ବିରୋଧରେ ହତ୍ୟା କରିବାର ଧାରା ଲଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେବଳ ସେତିକି ନୁହେଁ, ଡିଜିପି ସୀତାରାମ ଯେଉଁମାନେ ଦିଲ୍ଲୀ ନିଜାମୁଦ୍ଦିନ ତାବଲିଗୀ ଜାମାତରୁ ଆସିବା ବିଷୟରେ ସୂଚନା ଲୁଚାନ୍ତି, ସେମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି । ହିମାଚଳରେ   ତବଲିଗୀ ଜାମାତରୁ ଫେରିଥିବା ୭ ଜଣ  କରୋନା ରୋଗୀଙ୍କୁ ରାଜ୍ୟର ଟାଣ୍ଡା ମେଡିକାଲ କଲେଜ ଏବଂ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ ରବିବାର ଦିନ ଜଣେ କରୋନା ପଜିଟିଭ ରୋଗୀ ମେଡିକାଲ କର୍ମଚାରୀଙ୍କ ଉପରେ ଛେପ ପକାଇବା ଅଭିଯୋଗ ଆସିଥିଲା ।

କରୋନା ସଂକ୍ରମିତ ଛେପ ପକାଇବାର ଅନେକ ଘଟଣା ଅନ୍ୟ ରାଜ୍ୟରୁ ମଧ୍ୟ ଆସିଛି । ତେଣୁ ପୋଲିସ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଡିଜିପି ଏକ ଭିଡିଓ ବାର୍ତ୍ତା ଦେଇ ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ରୋଗୀ ଛେପ ପକାଇବା ଭଳି କାର୍ଯ୍ୟ କରନ୍ତି ତ ସେମାନଙ୍କ ସହ କୌଣସି ମାନବିକତା ପ୍ରଦର୍ଶନ କରାଯିବ ନାହିଁ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିକଟରେ ହିମାଚଳ ପ୍ରଦେଶରେ ମଧ୍ୟ ଅନେକ ଛେପ ପକାଇବା ଘଟଣା ଦେଖିବାକୁ ମିଳିଛି ।

ଡିଜିପିଙ୍କ ଚେତାବନୀ ପରେ ଏପର୍ଯ୍ୟନ୍ତ 12 ଜଣ ଜାମାତ୍ ସଦସ୍ୟ ସାମ୍ନାକୁ ଆସି ପ୍ରଶାସନ ଏବଂ ପୋଲିସକୁ ସୂଚନା ଦେଇଛନ୍ତି । ଏହା ସହ 52 ଜଣ ଲୋକେ ଏମାନଙ୍କ ସଂସ୍ପର୍ଷରେ ଆସିଥିବା ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ସିମଲା ଏବଂ ଚାମ୍ବାରେ ସହଯୋଗ କରିନଥିବା 12 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଡିଜିପି ରବିବାର ଦିନ ଚେତାବନୀ ଦେଇଛନ୍ତି ଯେ ଯଦି ଜାମାତ ସହ ଜଡିତ ଲୋକମାନେ ଅପରାହ୍ନ 5 ଟା ପର୍ଯ୍ୟନ୍ତ କୌଣସି ସୂଚନା ନ ଦିଅନ୍ତି, ତେବେ ପୋଲିସ  307 ଏବଂ 302 ଧାରା ଲଗାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Leave a Reply