ଦେଶରେ ୬୯ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା, ଶୀତ ଦିନେ ୪ ଗୁଣା ଶକ୍ତିରେ ଲେଉଟିବ କରୋନା

1 min read

ନୂଆଦିଲ୍ଲୀ: ଦେଶରେ ୬୯ ଲକ୍ଷ ଟପିଛି କରୋନା ସଂକ୍ରମଣ ସଂଖ୍ୟା । ଦିନକରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି । ଲକ୍ଷେ ୬ହଜାରରୁ ଅଧିକ ଜଣଙ୍କ ଜୀବନ ନେଲାଣି ଭୂତାଣୁ । ଦେଶରେ ଏବେବି ୮ଲକ୍ଷରୁ ଅଧିକ ମାମଲା ସକ୍ରିୟ ରହିଥିବା ବେଳେ ୫୯ ଲକ୍ଷରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସଂକ୍ରମଣର ହାର ଦେଶରେ ସର୍ବାଧିକ ରହିଛି । ତେବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ସାଙ୍ଗାତିକ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ଆଗକୁ ଶୀଚ ଋତୁ ଆସୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ିବା ନେଇ ମତ ପ୍ରକାଶ କରିଛି କୋଭିଡ କମିଟି ।

ଶୀତ ଦିନେ ୪ ଗୁଣା ଦୃତରେ ବଢ଼ିବ କରୋନା ସଂକ୍ରମଣ

କରୋନା ପାଇଁ ପ୍ରସ୍ତୁତ ଏକ୍ସପର୍ଟ କମିଟି ଚେତାବନୀ ଦେଇଛି ଯେ, ଶୀତର ପ୍ରକୋପ ବଢ଼ିଲେ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନାର ୧୫ ହଜାର ମାମଲା ସାମ୍ନାକୁ ଆସିବ । ଏଯାବତ ଦିଲ୍ଲୀରେ ସର୍ବାଧିକ ୪,୪୭୩ ମାମଲା ଆସିଛି । ତେବେ ଶୀତଦିନେ ଏହା ଚାରିଗୁଣ ବଢ଼ିଯିବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । କମିଟି ମୁତାବକ ଶୀତ ଦିନରେ ଅନେକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ । ଏହାସହ ପୂଜା ପର୍ବାଣୀକୁ ମଧ୍ୟ ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାର ଏକ ମୁଖ୍ୟ କାରଣ କୁହାଯାଉଛି । ଡ. ପିକେ ପଲ୍ ମତ ଦେଇଛନ୍ତି ଯେ, ପ୍ରତିଦିନ ୧୫ ହଜାରରୁ ବି ଅଧିକ ସଂକ୍ରମଣ ମାମଲା ସହ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ନିଜକୁ ପ୍ରସ୍ତୁତ କରିନେବା ଉଚିତ । ଏହା ସହ ଦିଲ୍ଲୀ ବାହାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ । ପ୍ରତିଦିନ ୧୫ ହଜାର ସଂକ୍ରମିତଙ୍କ ମଧ୍ୟରୁ ୨୦ ପ୍ରତିଶତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ବ୍ୟବସ୍ଥା ଆରମ୍ଭ କରିବାକୁ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଛି କୋଭିଡ କମିଟି ।

ଆଗାମୀ ୩ ମାସ ଖୁବ ଗୁରୁତ୍ୱପୂର୍ଣ୍ଣ

କମିଟି ମୁତାବକ ଆଗାମୀ ତିନି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିସ୍ଥିତିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦିଆଯାଇଛି । କରୋନା ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର RT-PCR ଟେଷ୍ଟ ଏବଂ ଲିମିଟେଡ କଣ୍ଟାକ୍ଟ ଟ୍ରେସିଂ ହେବା ଉଚିତ ବୋଲି କମିଟି ପରାମର୍ଶ ଦେଇଛି । ଟେଷ୍ଟିଂକୁ ସର୍ଭେଲାନ୍ସ ସାହାଯ୍ୟରେ ଚଲାଇବା, କ୍ରିଟିକାଲ କେୟାର ଫେସିଲିଟିଜ ବଢ଼ାଇବା, ପାର୍ବଣ ଋତୁକୁ ଆଖି ଆଗରେ ରଖି ସଚେତନତା ଅଭିଯାନ ଆରମ୍ଭ କରିବା ଏବଂ ହେଲ୍ଥ କେୟାର କର୍ମଚାରୀଙ୍କ ମୃତ୍ୟୁକୁ ରୋକିବା ପାଇଁ ପରାମର୍ଶ ଦେଇଛି କୋଭିଡ କମିଟି ।

Leave a Reply