ନିରାଶ କଲା କୋଭିସିଲ୍ଡ,, ଆଶା ସଂଚାର କଲା କୋଭାକ୍ସିନ୍

ଭୁବନେଶ୍ୱର: ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । କିନ୍ତୁ କରୋନା ଲଢ଼େଇ କେତେ ଦିନ ଚାଲିବ, ତା’ର କିଛି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । କୁହାଯାଉଥିଲା ଚଳିତବର୍ଷ ଶେଷଭାଗରେ ବଜାରକୁ କରୋନା ଟିକା ଆସିଯିବ। ହେଲେ ନିରାଶ କରିଛି ଅକ୍ସଫୋର୍ଡ ପ୍ରସ୍ତୁତ ଟିକା । ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହାର ବାକି ପରୀକ୍ଷା ବନ୍ଦ ଥିବାବେଳେ ଆଶା ସଞ୍ଚାର କରିଛି ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ । ଏହାର ପରୀକ୍ଷା ଭାରତରେ ଚାଲିବ ବୋଲି ସମ୍ ମାନବ ପରୀକ୍ଷଣର ମୁଖ୍ୟ ଇ. ଭେଙ୍କଟ ରାଓ କହିଛନ୍ତି ।

ଭାରତରେ ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣକୁ ସ୍ଥଗିତ ରଖାଯିବା ପରେ ଆଶା ସଂଚାର କରିଛି କୋଭାକ୍ସିନ । ଭାରତ ବାୟୋଟେକର କୋଭାକ୍ସିନ ଟିକାର ପରୀକ୍ଷଣ ଭାରତରେ ଜାରି ରହିବ ବୋଲି କୁହାଯାଇଛି । ଓଡିଶାରେ ଏହାର ପରୀକ୍ଷଣ ଚାଲୁ ରହିଥିବା ବେଳେ ଏହା ବନ୍ଦ ହେବ ନାହିଁ ବୋଲି ସମ୍ ମାନବ ପରୀକ୍ଷଣର ମୁଖ୍ୟ ଇ. ଭେଙ୍କଟ ରାଓ କହିଛନ୍ତି । ଆଷ୍ଟ୍ରାଜେନିକା ଅକ୍ସଫୋର୍ଡର । ତେଣୁ ଟିକା ପରୀକ୍ଷଣ ବନ୍ଦ ରହିଛି । ହେଲେ କୋଭାକ୍ସିନ ଭାରତ ବାୟୋଟେକର ଏବଂ ଏହି ଟିକାର ପରୀକ୍ଷାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସମ୍ ହସ୍ପିଟାଲ ଭାଇସ ଚାନ୍ସେଲର ଡାକ୍ତର ଅଶୋକ ମହାପାତ୍ର।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ତଥା ଭେଷଜ କମ୍ପାନୀ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଏକ କୋଭିଡ୍‌ ଟିକାର ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣକୁ ଅଧାରୁ ସ୍ଥଗିତ ରଖାଯାଇଛି । ଜଣେ ସ୍ୱେଚ୍ଛାସେବୀଙ୍କ ଠାରେ ଟିକାର ସନ୍ଦିଗ୍ଧ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି କାହିଁକି ଭାରତର ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣ ବନ୍ଦ ରହିଲା ଏନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ଆଇଏମଏର ସଭାପତି ସନ୍ତୋଷ ମିଶ୍ର । ଏଥିସହ କରୋନା ଟିକା ପରୀକ୍ଷଣରେ କୋଭାକ୍ସିନ ସବୁଠୁ ଆଗରେ ରହିଛି ବୋଲି କହିଛନ୍ତି ସନ୍ତୋଷ ।

ଭାରତରେ ୧୨ଟି ସେଣ୍ଟରରେ କୋଭାକ୍ସିନ ପରୀକ୍ଷଣ କରାଯାଉଛି । ଓଡିଶାରେ ପ୍ରଥମ ଦଫା ପରୀକ୍ଷଣ ଆରମ୍ଭ ହୋଇଛି ଯାହାକୁ ୪୨ ଦିନ ବିତି ସାରିଛି । କରୋନା ଟିକା ନେଇ କୋଭାକ୍ସିନର ପରୀକ୍ଷଣ କେତେ ଦୂର ଫଳପ୍ରଦ ହେଉଛି ତାହାକୁ ଏବେ ଅପେକ୍ଷା।

Leave a Reply