ସାରୁଅ ଜମି ଦୁର୍ନୀତି: OTVର ପୂର୍ବତନ CFOଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଘଟଣାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ତଥା ଓଟିଭିର ପୂର୍ବତନ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଛି । ଖୋର୍ଦ୍ଧା କୋର୍ଟରେ ଏହି ଶୁଣାଣି ଆରମ୍ଭ ହୋଇଛି । ୨୨ ଜଣ ଦଳିତ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ  ଶାଗମାଛ ଦରରେ ସାରୁଅରେ ଜମି କିଣିଥିଲା ଓଡିଶା ଇନଫ୍ରାଟେକ। ଆଜି ସେହି ୨୨ ଜଣଙ୍କ ମଧ୍ୟରୁ ୧୪ ଜଣ କୋର୍ଟରେ ପହଞ୍ଚିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରୁ କେତେ ଜଣ ଏବେ ଜୀବିତ ନଥିବା ବେଳେ ଆଉ କେତେ ଜଣ ଚିକିତ୍ସିତ ଅଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ମନୋରଞ୍ଜନ ଷଡଙ୍ଗୀ ମଧ୍ୟ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଓରଟେଲର ପୂର୍ବତନ ଡ୍ରାଇଭର ରବି ସେଠୀଙ୍କ ଜରିଆରେ ଓଡିଶା ଇନଫ୍ରାଟେକ୍ ଦଳିତଙ୍କ ଜମି ହଡପ କରିଥିଲା ।

ପ୍ରାୟ ୭ ଏକର ଜମି ରବି ସେଠୀଙ୍କ ଜରିଆରେ କିଣା ଯାଇଥିବା ସେ ନିଜେ ସ୍ୱୀକାର କରିବା ସହ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପିଟିସନ ଦେଇଥିଲେ । ଗତ ୨୯ ତାରିଖରେ ସାରୁଅରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ଏହା ପୂର୍ବରୁ ମନୋରଞ୍ଜନଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଓଟିଭି କାର୍ଯ୍ୟାଳୟରେ ମଧ୍ୟ ଜେରା କରିଥିଲା ।

Leave a Reply