ହାଥରସ ଗଣଦୁଷ୍କର୍ମ ଘଟଣାର ତାତିରେ ସାରା ଦେଶରେ ପ୍ରତିବାଦ, ଭୁବନେଶ୍ୱରରେ ବିକ୍ଷୋଭ କଲା କଂଗ୍ରେସ

country-across-strike-over-hasrath-gang-rape-row

ଭୁବନେଶ୍ୱର: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ପରେ ପୀଡିତାଙ୍କ ମୃତ୍ୟୁ ଘଟଣା ପରେ ସାରା ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଏହି ପ୍ରତିବାଦ ଆହୁରି ତୀବ୍ର ରୂପ ନେଇଥିଲା ଯେତେବେଳେ, ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଗଲା । ୟୁପି ପୋଲିସ ପକ୍ଷରୁ ସେମାନଙ୍କୁ ବ୍ୟାପକ ଠେଲାପେଲା କରାଗଲା । ଏହି ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ୟୁପିରେ କଂଗ୍ରେସର ଶୀର୍ଷ ନେତାଙ୍କୁ ହୋଇଥିବା ଏପରି ବ୍ୟବହାରକୁ ସହଜରେ ଗ୍ରହଣ କରି ନ ଥିଲେ କଂଗ୍ରେସ କର୍ମୀ ।

ରାଜଧାନୀ ଦିଲ୍ଲୀଠୁ ଆରମ୍ଭ କରି ମହାରାଷ୍ଟ୍ରର ମୁମ୍ବାଇ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ପ୍ରତିବାଦ । ଦିଲ୍ଲୀରେ କଂଗ୍ରେସ କର୍ମୀମାନେ କ୍ୟାଣ୍ଡେଲ ରାଲି କରି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ତାମିଲନାଡୁ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । ରାହୁଲ ଓ ପ୍ରିୟଙ୍କାଙ୍କୁ ହାଥରସକୁ ପ୍ରବେଶ ନକରେଇ ଦେବା ପାଇଁ ସବୁ ପ୍ରକାର ଷଡଯନ୍ତ୍ର କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଅନୁରୂପ ଭାବେ ଭୁବନେଶ୍ୱେର ମାଷ୍ଟରକ୍ୟାଣ୍ଟିନରେ ଯୁବ କଂଗ୍ରେସ କର୍ମୀ ଏବଂ କିଛି ବିଧାୟକ ଏକାଠି ହୋଇ ୟୁପିର ଯୋଗୀ ଆଦିତ୍ୟନାଥ ସରକାରକୁ ବିରୋଧ କରିଥିଲେ । ସେମାନେ ଯୋଗୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିଜେପି ବିରୋଧୀ ନାରା ଦେଇଥିଲେ । ଏପରିକି ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇ ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ଓଡ଼ିଶାରେ କେନ୍ଦ୍ରୀୟ ଭାଜପା ନେତା ଏବଂ ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ କର୍ମୀ କହିଛନ୍ତି ।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମା ଓ ଭଉଣୀମାନଙ୍କୁ ନ୍ୟାୟ ଦେବାରେ କେବଳ ୟୁପି ନୁହେଁ, ସାରା ଦେଶରେ ବିଜେପି ସରକାର ବିଫଳ ହୋଇଛି । ପୋଲିସର ଅପାରଗତା ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ହାଥରସର ଗରିବ ଝିଅଟି ମରିଗଲା । ତେଣୁ ଏହା ବିରୋଧରେ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ପ୍ରତିବାଦ ହେବ । ଏହି ଘଟଣା ହିଁ ବିଜେପି ପତନର କାରଣ ହେବ ବୋଲି ତାରା ପ୍ରସାଦ କହିଛନ୍ତି ।

Leave a Reply