ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସୂଚନା, ଓଡ଼ିଶା ଛାଡ଼ିବ ବାଘୁଣୀ ସୁନ୍ଦରୀ । ମହାବୀରକୁ ଶିକାରୀ ମାରିଥିବା ଅଭିଯୋଗ

1 min read

ଭୁବନେଶ୍ୱର : ଓଡ଼ିଶାର ଜଂଗଲ ଓ ପାଣିପାଗ ସହ ନିଜକୁ ଖାପ ଖୁଆଇ ପାରିଲାନି ସୁନ୍ଦରୀ । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁସାରେ ବାଘୁଣୀ ସୁନ୍ଦରୀକୁ ମଧ୍ୟ ରଖାଗଲା ନାହିଁ । ଏବେ ନିଷ୍ପତ୍ତି ହୋଇଛି ଯେ, ଯେଉଁଠୁ ଆସିଥିଲା ବାଘୁଣୀ ସୁନ୍ଦରୀ, ସେଇଠିକୁ ଅର୍ଥାତ୍ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ସେ ଫେରିଯିବ ।


ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବାତିଲ୍ କରିବାକୁ NCTA ଚିନ୍ତା କରୁଥିବା ଜଣାପଡ଼ିଛି । ଏ ନେଇ ଏକ ଚିଠି ମଧ୍ୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ NCTA ପକ୍ଷରୁ ଲେଖାଯାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ୨୦୧୭ ସେପ୍ଟେମ୍ୱର ୧ ତାରିଖରେ NCTA ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାର ପରବର୍ତ୍ତୀ ବୈଠକ ସେହିବର୍ଷ ନଭେମ୍ୱର ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୨ଟି ବାଘଙ୍କୁ ସାତକୋଶିଆ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ୨୦୧୮ ଜୁଲାଇ ୬ ତାରିଖରେ ୩ ବର୍ଷର ମହାବୀର ନାମକ ଏକ ବାଘକୁ ଓଡ଼ିଶାର ସାତକୋଶିଆଙ୍କୁ ଅଣାଯାଇଥିଲା ।


ଏହାପରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ୨୦୧୮ ଅଗଷ୍ଟ ୧୭ ତାରିଖରେ ବାଘୁଣୀ ସୁନ୍ଦରୀକୁ ଓଡ଼ିଶା ଅଣାଗଲା । କିଛିଦିନ ଏନକ୍ଲୋଜରରେ ରଖିବା ପରେ ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡ଼ିଦିଆଯାଇଥିଲା । ଏହାପରେ ଗାଁ ଲୋକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନଭେମ୍ବର ୬ ତାରିଖରେ ବାଘୁଣୀକୁ ଜଂଗଲରୁ ଏନକ୍ଲୋଜରକୁ ଅଣାଗଲା । ବାଘୁଣୀ ସୁନ୍ଦରୀ ଧରା ହେବାର ୮ ଦିନ ନଯାଉଣୁ ନଭେମ୍ବର ୧୪ ତାରିଖରେ ମହାବୀରର ମୃତଦେହ ମିଳିଲା । NCTAର ପ୍ରାଥମିକ ତଦନ୍ତରୁ ବାଘକୁ ହତ୍ୟା କରାଯାଇଥିବା ସୂଚନା ମିଳିଲା । ତେବେ ବାଘୁଣୀକୁ ଛୋଟ ଏନକ୍ଲୋଜରରେ ରଖିବା ନେଇ NCTA ଆପତ୍ତି ପ୍ରକାଶ କରିଥିଲା ।


ଏବେ ଏ ପ୍ରକଳ୍ପକୁ ବାତିଲ୍ କରି ବାଘୁଣୀ ସୁନ୍ଦରୀରୁ ଫେରାଇ ନେବାକୁ NCTA ନିଷ୍ପତ୍ତି ନେଇଛି । ତେବେ ୨୦୧୪ ଅପେକ୍ଷା ୨୦୧୮ରେ ଜାତୀୟ ସ୍ତରରେ ବ୍ୟାଘ୍ର ସଂଖ୍ୟା ୨୨୨୬ରୁ ୨୯୬୭କୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ଯାହା ଥିଲା ସେଇଆ ହିଁ ରହିଛି । ତେବେ ୨୦୦୨ରେ ୧୩୨ ବାଘଙ୍କ ତୁଳନାରେ ଓଡ଼ିଶାରେ ଗତ ୧୬ ବର୍ଷରେ ଏ ସଂଖ୍ୟା ୧୦୪ ଖସି ଏବେ ମାତ୍ର ୨୮ରେ ପହଞ୍ଚିଛି ।

Leave a Reply