ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେଲେ ଅନାହାର ମୃତ୍ୟୁ ବଢ଼ିବ: ଇନ୍‌ଫୋସିସ୍‌ ଫାଉଣ୍ଡର

ନୂଆଦିଲ୍ଲୀ: ମେ’୩ ରେ ଶେଷ ହେବାକୁ ଯାଉଛି ଲକ୍‌ଡାଉନ୍‌ ଅବଧି । କିନ୍ତୁ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଲକ୍‌ଡାଉନ୍‌ ଅବଧି ବଢ଼ାଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ଏନେଇ ଦେଶର ଜଣାଶୁଣା ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ଫାଉଣ୍ଡର ଏନ୍‌ ନାରାୟଣମୂର୍ତ୍ତି ଏକ ବଡ଼ ବୟାନ୍‌ ଦେଇଛନ୍ତି । ସେ କହିଛନ୍ତି ଯଦି ଲକ୍‌ଡାଉନ୍‌ ଅବଧି ଆଗକୁ ବଢ଼େ ତେବେ ଲୋକମାନେ କରୋନା ନୁହେଁ ବରଂ ଭୋକ ଉପାସରେ ମିରିଯିବେ । ସରକାର ଏନେଇ ବାସ୍ତବିକ୍‌ ସ୍ତରରେ ଚିନ୍ତା କରିବା ଆବଶ୍ୟକ ।

ନାରାୟଣ ମୁର୍ତ୍ତୀଙ୍କ କହିବାନୁଯାୟୀ, ଆମ ଦେଶ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଅବଧିକୁ ସହ୍ୟ କରିପାରିବ ନାହିଁ । ଯଦି ଲକଡାଉନ୍ ଅବଧି ଆଗକୁ ବଢ଼ାଯାଏ, ତେବେ ଏପରି ଏକ ସମୟ ଆସିବ ଯେତେବେଳେ କରୋନାଠାରୁ ଅଧିକ ମୃତ୍ୟୁ ଅନାହାର ଯୋଗୁଁ ହେବ । ଭାରତରେ ପ୍ରତି ବର୍ଷ ବିଭିନ୍ନ କାରଣରୁ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଗତ ଦୁଇ ମାସ ମଧ୍ୟରେ କରୋନା ଜନିତ ହୋଇଥିବା ମୃତ୍ୟୁ ସହ ଯଦି ୯୦ ଳକ୍ଷ ଲୋକଙ୍କ ମୃତ୍ୟୁକୁ ତୁଳନା କରିବା, ତେବେ ଏହା କୌଣସି ଚିନ୍ତାର ବିଷୟ ନୁହେଁ । ଏହି ଭାଇରସ୍‌କୁ ସାଧାରଣ ଭାବେ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ନାରାୟଣ ମୁର୍ତ୍ତୀଙ୍କ ଅନୁଯାୟୀ ଦେଶର ଏକ ବଡ଼ ଭାଗ ଲକ୍‌ଡାଉନ୍‌ ଯୋଗୁଁ ଜୀବିକା ହରାଇସାରିଲାଣି । ଯଦି ଲକ୍‌ଡାଉନ୍ ଜାରି ରହେ, ତେବେ ଅଧିକ ଲୋକ ନିଜର ଜୀବିକା ହରାଇବେ । ଭାରତରେ କରୋନା ଜୀବାଣୁ ପରୀକ୍ଷା କରିବାର ଗତିକୁ ନେଇ ମଧ୍ୟ ମୁର୍ତ୍ତୀ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀମାନଙ୍କୁ ଟେଷ୍ଟିଂ ଦିଗରେ ନୁହେଁ ବରଂ ଭ୍ୟାକ୍ସିନ୍‌ ତିଆରି ଦିଗରେ ଆଗେଇବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ।

Leave a Reply