ଦ୍ୱିତୀୟ ଥର ଦେଶରେ କରୋନା କାରଣରୁ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

1 min read

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦୦୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ୪୮ ହଜାର ୪୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ମାମଲାରେ ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଲକ୍ଷ ୭୦ ହଜାର ୪୧୫ ଜଣ ଓ ବ୍ରାଜିଲରେ ଏକ ଲକ୍ଷ ପାଞ୍ଚ ହଜାର ୫୬୪ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନର ତଥ୍ୟ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୨୪ ଲକ୍ଷ ୬୧ ହଜାର ୧୯୧ ଟି କରୋନା ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୭ ଲକ୍ଷ ୫୧ ହଜାର ୫୫୫ ଲୋକ ସୁସ୍ଥ ହୋଇଥିବାବେଳେ ୪୮ ହଜାର ୪୦ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ୬ ଲକ୍ଷ ୬୧ ହଜାର ୫୯୫ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୬ ହଜାର ୫୫୩ ଟି ନୂଆ ମାମଲା ରୁଜୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ ପାଇଁ ଆଠ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଯେଉଁଥିପାଇଁ ମୋଟ ପରୀକ୍ଷା ସଂଖ୍ୟା ଦୁଇ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ରେ ପହଞ୍ଚିଛି । ପ୍ରତି ମିଲିୟନରେ ଅନୁସନ୍ଧାନ ସଂଖ୍ୟା ୧୯,୪୫୩ କୁ ବୃଦ୍ଧି ପାଇଛି । ପରୀକ୍ଷା ଲାବୋରେଟୋରୀଗୁଡିକର କ୍ରମାଗତ ବିସ୍ତାର ଦ୍ୱାରା ଏହି ସଫଳତା ହାସଲ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି । ଜାନୁଆରୀରେ କେବଳ ଗୋଟିଏ ଲାବୋରେଟୋରୀ ଥିଲା ଯାହା ବର୍ତ୍ତମାନ ୧,୪୩୩ କୁ ବୃଦ୍ଧି ପାଇଛି । ସରକାରୀ କ୍ଷେତ୍ରରେ ୯୪୭ ଟି ଲାବୋରେଟୋରୀ ଏବଂ ଘରୋଇ କ୍ଷେତ୍ରରେ ୪୮୬ ଟି ଲାବୋରେଟୋରୀ ଅଛି ।

ଏଥି ସହିତ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର ୭୦.୭୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ସମୟରେ ଏହି ରୋଗର ମୃତ୍ୟୁ ହାର ହ୍ରାସ ପାଇ ୧.୯୬ ପ୍ରତିଶତକୁ ଖସି ଆସିଛି । ମନ୍ତ୍ରଣାଳୟ କହିଛି ଯେ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହେବା ହେତୁ ସକ୍ରୀୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ।

Leave a Reply