ଭଲ ଖବର ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଜୁନ୍ ଅପେକ୍ଷା ଜୁଲାଇରେ କରୋନା ମୃତ୍ୟୁହାର କମ୍

1 min read
Corona Virus recovery rate exceeds 64 percent Says Health Ministry

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶ୍ୱସ୍ତିକର ସୂଚନା ଦେଇଛି । ଜୁନ୍ ଅପେକ୍ଷା ଜୁଲାଇରେ କରୋନା ମୃତ୍ୟୁହାର କମ୍ ରହିଛି । ଦେଶରେ ଏବେ ଦୈନିକ ୪୯ ହଜାର ଉପରେ ପଜିଟିଭ୍ କେସ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁହାର କମିଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଜୁନ୍ ୧୮ ବେଳକୁ ଦେଶରେ କରୋନା ମୃତ୍ୟୁହାର ୩.୩ ପ୍ରତିଶତ ଥିଲା । ଯାହା ଏବେ ହ୍ରାସ ପାଇ ୨.୨୫ ପ୍ରତିଶତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେହିଭଳି ଜୁନ୍ ମଧ୍ୟ ଭାଗରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ହାର ପାଖାପାଖି ୫୩ ପ୍ରତିଶତ ଥିଲା । ଏବେ ଏହା ବୃଦ୍ଧି ପାଇ ୬୪ ପ୍ରତିଶତରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଗତ ୨୪ ଘଣ୍ଟାରେ ୩୫ ହଜାର ୧୭୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୭୪୩ରେ ପହଞ୍ଚିଛି ।

ମନ୍ତ୍ରାଳୟ ଅନୁସାରେ, ‘ଜୁନ୍ ମଧ୍ୟ ଭାଗରେ କରୋନା ମୃତ୍ୟୁହାର ୩.୩୩ ପ୍ରତିଶତ ଥିଲା । ମଙ୍ଗଳବାର ଏହା ହ୍ରାସ ପାଇ ୨.୨୫ ପ୍ରତିଶତ ରହିଛି । ଆଉ ଭାରତ ହେଉଛି ମୃତ୍ୟୁହାର କମ୍ ରହିଥିବା ଦେଶ ।‘ ଏଥିସହ କରୋନା ମୁକାବିଲା ରଣନୀତି, ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ, ଟେଷ୍ଟିଂ କ୍ଷମତା ବୃଦ୍ଧି ଓ ହସ୍ପିଟାଲ ଗୁଡ଼ିକରେ ପ୍ରଭାବଶାଳୀ ଚିକିତ୍ସା ଫଳରେ ମୃତ୍ୟୁଦର କମିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ହସ୍ପିଟାଲ ଉପରୁ ଚାପ କମାଇବା ପାଇଁ ଲକ୍ଷଣନଥିବା ଆକ୍ରାନ୍ତଙ୍କୁ ଘରେ ପୃଥକବାସରେ ରଖିବା ପାଇଁ ପଦକ୍ଷେପ ନିଆଯାଇଛି ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଅଞ୍ଚଳ ଗମ୍ଭୀର ସ୍ଥିତିରୁ ମୁକୁଳୁଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଦେଖି ଅଧିକ ଲୋକ ରହୁଥିବା ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରୟାସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଦେଶରେ କୋଭିଡ୍-୧୯ ମୃତ୍ୟୁହାରକୁ କମାଇ ପାରିଛି । ଏହି ସମୟ ଭିତରେ ତ୍ରି-ସ୍ତରୀୟ ହସ୍ପିଟାଲ ଢାଞ୍ଚାକୁ ମଧ୍ୟ ଶକ୍ତିଶାଳୀ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଲଗାତାର ପଞ୍ଚମ ଦିନରେ ୩୦ ହଜାରରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଯେତେବେଳେ କି ଜୁନ୍ ମଧ୍ୟ ଭାଗରେ ଦେଶରେ ସୁସ୍ଥତା ହାର ୫୩ ପ୍ରତିଶତ ରହିଥିଲା । ଏହା ମଙ୍ଗଳବାର ୬୪.୨୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏବେ ଦେଶରେ ୪ ଲକ୍ଷ ୯୬ ହଜାର ୯୮୮ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

ମନ୍ତ୍ରାଳୟ କହିବା ଅନୁସାରେ- ସଂକ୍ରମଣ ମାମଲାରୁ ରକ୍ଷା ପାଇବା ପାଇଁ ନୂଆଦିଲ୍ଲୀର ବିଶେଷଜ୍ଞ ଟିମ୍ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସହାୟତା କରୁଛନ୍ତି । ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯିବା ସହ ପୃଥକବାସରେ ପଠାଯାଉଛି । ଏଥିସହ ହସ୍ପିଟାଲ ଗୁଡ଼ିକରେ ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି । କେନ୍ଦ୍ରୀୟ ଟିମ୍ ଲଗାତାର ଭାବେ ଗ୍ରାଉଣ୍ଡରେ ସ୍ଥିତି ପରଖୁଛନ୍ତି । ଏହି ସବୁ ପ୍ରୟାସ ଫଳରେ ମୃତ୍ୟୁହାର କମିଥିବା ବେଳେ ସୁସ୍ଥତା ହାର ବଢ଼ିଛି ।

Leave a Reply