ଲକ୍‌ଡାଉନ୍‌ରେ ଫଶିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌, କେନ୍ଦ୍ର ସରକାର ଦେଲେ ଅନୁମତି

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ ତାଲା ପକାଇ ଫସି ରହିଥିବା ଲୋକଙ୍କୁ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ପଠାଇବା ପାଇଁ ମୋଦି ସରକାର ଅନୁମତି ଦେଇଛନ୍ତି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଅନୁମତି ଦିଆଯାଇଛି । ତେବେ ପୂର୍ବରୁ କେନ୍ଦ୍ର ସରକାର ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଥିଲେ । ଏହାପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ ।

ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ରମାନଙ୍କ ସହିତ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସ୍ଥାନାନ୍ତର ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଲକ୍‌ଡାଉନ୍‌ ଯୋଗୁଁ ଫସି ରହିଥିବା ଏଭଳି ଲୋକଙ୍କ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ । ଯେଉଁମାନେ କାଶ ଥଣ୍ଡା ଜ୍ୱର ଆଦି ରୋଗରେ ଆକ୍ରାନ୍ତ ନଥିବେ ସେହିମାନେ ହିଁ ଟ୍ରେନ୍‌ରେ ଯାଇପାରିବେ ବୋଲି ଅନୁମତି ରହିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ  ନିଯୁକ୍ତ ଦିଆଯିବ ।

ଝାଡ଼ଖଣ୍ଡକୁ ଯିବ ପ୍ରଥମ ଟ୍ରେନ୍‌

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ରାଜ୍ୟମାନେ ପ୍ରବାସୀଙ୍କୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରଥମ ସ୍ପେସାଲ ଟ୍ରେନ୍‌ ଚଳାଚଳ କରାଯାଇଛି । ଯାହାକି ଶୁକ୍ରବାର ପୂର୍ବାହ୍ନରୁ ତେଲେଙ୍ଗାନାର ଲିଙ୍ଗମପଲ୍ଲୀରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ଝାରଖଣ୍ଡ ଅଭିମୁଖେ ବାହାରିଛି । ଏହି ଟ୍ରେନ୍‌ ରାତି ପ୍ରାୟ ୧୧ଟା ସମୟରେ ପହଞ୍ଚିବ ।

ପାସ୍‌ ଆବଶ୍ୟକ ନାହିଁ

ଗୃହ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟମାନଙ୍କ ଜରିଆରେ ଏଫସିଆଇ ଦ୍ୱାରା ୬୨ ଲକ୍ଷ ଟନ୍ ଗହମ ଏବଂ ଚାଉଳ ବଣ୍ଟନ କରାଯାଇଛି। ଏଥି ସହିତ ମାଲ ପରିବହନ ସାମଗ୍ରୀର ଗତିବିଧିରେ ଉନ୍ନତି ଆସିଛି । ଟ୍ରକ୍ ଏବଂ ସାମଗ୍ରୀ ପରିବହନ କରୁଥିବା ଯାନବାହାନ ଚଳାଚଳ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଏକ ଚିଠି ପଠାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ସେମାନଙ୍କ ପାଇଁ କୌଣସି ଅତିରିକ୍ତ ପାସ୍ ଆବଶ୍ୟକ ନାହିଁ ।

Leave a Reply