ବାଇ-ଇଲେକ୍‌ସନ ରାଜନୀତିରେ ଧସେଇ ପଶିଛି କରୋନା ଟିକା ରାଜନୀତି…

1 min read

ଭୁବନେଶ୍ୱର: ଉପନିର୍ବାଚନ ରାଜନୀତିରେ କରୋନା ଟିକା । ବିହାର ପରେ ଓଡ଼ିଶାରେ ତାତି । ଭୋଟ୍‌ ପାଇଁ ବାଜିରେ ଲାଗିଲା ମାଗଣା ଟିକା । ମୁହାଁମୁହିଁ ହେଲେ ବିଜେଡି-ବିଜେପି-କଂଗ୍ରେସ । କରୋନା ଟିକା କେବେ ଆସିବ, କେବେ ଲୋକଙ୍କୁ ମିଳିବ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଉପନିର୍ବାଚନରେ କିନ୍ତୁ ଟିକାକୁ ନେଇ ରାଜନୀତି ଜମିଛି । ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ ନିର୍ବାଚନୀ ଇସ୍ତାହାରରେ ମାଗଣାରେ କରୋନା ଟିକା ଦେବ ବୋଲି କହିବା ପରେ ଓଡ଼ିଶାରେ ଉଭୟ କଂଗ୍ରେସ ଓ ବିଜେଡି ଏହାକୁ ନେଇ ପ୍ରଶ୍ନ କରିଥିଲେ ।

ସେପଟେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ଓଡ଼ିଶାରେ କେବେ ମାଗଣାରେ ଟିକା ମିଳିବ ବୋଲି ପ୍ରଶ୍ନ କରିଥିଲେ ଓ ଏହାର ଉତ୍ତର କେନ୍ଦ୍ରମନ୍ତ୍ରୀ ଦେବେ କି ବୋଲି କହିଥିଲେ । ଏନେଇ ରାଜନୀତି ଜୋର ଧରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ଓଡ଼ିଶା ବି ପାଇବ । ପ୍ରତାପ ଷଡ଼ଙ୍ଗୀଙ୍କ ଏହି ବୟାନ ପୁଣି କରୋନା ଟିକା ରାଜନୀତିକୁ ସରଗରମ କରିଛି ।

ତେବେ ଏଯାଏଁ କରୋନା ଟିକା ଆସିନଥିବା ବେଳେ କେନ୍ଦ୍ରମନ୍ତ୍ରୀ କିପରି ଓ କେଉଁ ଟିକା ବାଣ୍ଟିବେ ବୋଲି ବିଜେଡି ପ୍ରଶ୍ନ କରିଛି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏହା କେନ୍ଦ୍ରମନ୍ତ୍ରୀଙ୍କ ଏକ ଧୂଆଁବାଣ । ଉପ- ନିର୍ବାଚନକୁ ଆଖିରେ ରଖି ଏପରି କହିଛନ୍ତି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି ।

ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଟିକାକୁ ନେଇ ବୟାନ ବାଜି ସେତେ ଜୋର ଧରୁଛି । ତେବେ ନେତାଙ୍କ ଟିକା ବୟାନ ଲୋକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାର କଥା ।

Leave a Reply