ଅଗଷ୍ଟ ୧୦ ସୁଦ୍ଧା କରୋନା ଭ୍ୟାକ୍ସିନ୍ ବଜାରକୁ ଆସିବା ନେଇ ଚର୍ଚ୍ଚା

1 min read

ଭୁବନେଶ୍ୱର: ସାରା ବିଶ୍ୱକୁ ଘାରିଛି କରୋନା ଭୟ । ସଂକ୍ରମଣ ମଧ୍ୟରେ ଆଶାର କିରଣ ଭାବେ ଉଭା ହୋଇଛି ଭ୍ୟାକସିନ । କିନ୍ତୁ ଏହି ଭ୍ୟାକସିନ କେବେ ବଜାରରେ ଉପଲବ୍ଧ ହେବ । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଓ ସଂଗଠନ ଚଳାଇଛନ୍ତି ଅହରହ ପରୀକ୍ଷଣ । କିଛି ଭ୍ୟାକସିନ ଶେଷ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ ଦେଇ ଗତି କରୁଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ପ୍ରବେଶ କରିବ ବୋଲି ଆଶା କରାଯାଉଛି । ସେପଟେ ଅଗଷ୍ଟ ୧୦ ସୁଦ୍ଧା ରୁଷର କରୋନା ଭ୍ୟାକସିନ ବଜାରକୁ ଆସିବ ବୋଲି ଆଶା କରାଯାଉଛି ।

ଏଭିତରେ ଆଶାର ଏକ ମାତ୍ର କିରଣ ହେଉଛି ଭ୍ୟାକସିନ  । ଅଗଷ୍ଟ ୧୦ରେ ରୁଷର ଭ୍ୟାକସିନ ଆସିବା ନେଇ ଚର୍ଚ୍ଚା ହେଉଛି  । ଯଦିଓ ଭାକସିନକୁ ନେଇ କୌଣସି ସରକାରୀ ତଥ୍ୟ ହସ୍ତଗତ ହୋଇନି, ତଥାପି ଅଗଷ୍ଟ ୧୦ରୁ ୧୨ ତାରିଖ ମଧ୍ୟରେ କରୋନା ଭ୍ୟାକସିନର ବଜାର ପ୍ରବେଶ ପାଇଁ ରୁଷ ଦାବି କରିଛି । ମସ୍କୋ କହିଛି ଯେ, ଏହା ହେଉଛି କରୋନାକୁ ମାତ ଦେଉଥିବା ବିଶ୍ୱର ପ୍ରଥମ ଭ୍ୟାକସିନ । ନ୍ୟୁଜ୍ ଏଜେନ୍ସୀ ବ୍ଲୁମବର୍ଗ ଅନୁସାରେ ଭ୍ୟାକସିନର ଲଞ୍ଚ୍ ପାଇଁ ସବୁ ପ୍ରସ୍ତୁତି ସରିଛି । ରିପୋର୍ଟ ଅନୁସାରେ ପ୍ରଥମେ ଏହାକୁ ପଂଜିକୃତ କରାଯିବ ଓ ତା’ପରେ ୩ରୁ ୭ ଦିନ ଭିତରେ ବଜାରରେ ଉପଲବ୍ଧ ହେବ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୁଷର ଏହି ଟିକାକୁ ନେଇ ଚିନ୍ତା ଜାହିର କରିଛି । WHO କହୁଛି ରୁଷ ଟିକା ପାଇଁ ଆବଶ୍ୟକ ଗାଇଡ୍ ଲାଇନ ପାଳନ କରିନାହିଁ ।

ଫାଇଜର-ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏମ-ଆଇଏନଏ ଭ୍ୟାକସିନ ଏବେ ସମ୍ବେଦନଶୀଳ ପରୀକ୍ଷଣ ଷ୍ଟେଜରେ । ଏହି ଭ୍ୟାକସିନର ଏବେ ଫେଜ ଟୁ ପରୀକ୍ଷଣ କରାଯିବ । ଆମେରିକାର ୩୦ ହଜାର ସ୍ବେଚ୍ଛାକୃତ ବ୍ୟକ୍ତିଙ୍କ ଉପରେ ଏହାର ପରୀକ୍ଷଣ କରାଯିବ । ଆମେରିକା ଓ ଜର୍ମାନୀର ୧୦୦ଟି କେନ୍ଦ୍ରରେ ଏହାର ପରୀକ୍ଷଣ କରାବାକୁ ନିଷ୍ପତ୍ତି ହୋଇଛି ।

ଫାର୍ମା କମ୍ପାନୀ ଆଷ୍ଟ୍ରାଜେନିକା ସହ ମିଳିତ ଭାବେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ କରୁଥିବା ଭ୍ୟାକସିନ ପ୍ରସ୍ତୁତି ମଧ୍ୟ ବେଶ ଅଗ୍ରଗତି କରିଛି । ପୁନେର ସେରମ ଇନଷ୍ଟିଚ୍ୟୁଟ ଏହି ଭ୍ୟାକସିନର ବ୍ୟବସାୟକରଣ କରିବ । ଏହି ଭ୍ୟାକସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଛି । ବିଶେଷଜ୍ଞଙ୍କ ମତରେ ପରୀକ୍ଷଣରୁ ଆଶାନୁରୂପ ଫଳଫଳ ଆସୁଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ ୨୦୨୧ ସୁଦ୍ଧା ଭାରତକୁ ୧୦୦ ନିୟୁତ ଭ୍ୟାକସିନ ଡୋଜ ପ୍ରଦାନ କରାଯିବ ।

ସେପଟେ ବିଳମ୍ବରେ ଆରମ୍ଭ ହୋଇଛି ନୋଭାକ୍ସା ଟିକା ପରୀକ୍ଷଣ । ଆସନ୍ତା ମାସରୁ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ନିକଟରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନୋଭାକ୍ସା ମାନବ ଶରୀରେ ଆଣ୍ଟିବଡି ସୃଷ୍ଟି କରିବାରେ ସଫଳ । ଆସନ୍ତା ବର୍ଷ ସୁଦ୍ଧା ୧ରୁ ୨ ବିଲିୟନ ଡୋଜ ବଜାରକୁ ପ୍ରବେଶ କରିବ ।

ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକସିନ ମଧ୍ୟ ଏବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଇ ଗତି କରୁଛି । ଏହି ଭ୍ୟାକସିନର ପରୀକ୍ଷଣ ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି । ୩ହଜାର ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ ସରିଛି ଏବଂ ସେଥିରୁ ସରକାତ୍ମକ ଫଳାଫଳ ମିଳିଛି ।

ଜାଇଡସ କାଡିଲା ମଧ୍ୟ ପ୍ରସ୍ତୁତ କରୁଛି କରୋନା ଟିକା ଜାଇକୋଭ-ଡି ଭ୍ୟାକସିନ । ଏହି ଭ୍ୟାକସିନର ଏବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ମାର୍ଚ୍ଚ ୨୦୨୧ ବେଳକୁ ଏହା ବଜାରକୁ ଆସିବ ବୋଲି ଆକଳନ କରାଯାଉଛି ।

ସେପଟେ ଇସ୍ରାଏଲ ବାୟୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମଧ୍ୟ ନୋଭେଲ କରୋନା ଭ୍ୟାକସିନ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ଖିବଶୀଘ୍ର ଏହାର ମାନବ ପରୀକ୍ଷଣ ଆରମ୍ଭ ହେବ । ଗତ ୬ ମାସ ଧରି ଏହି ଭ୍ୟାକସିନ ଉପରେ କାମ ଚାଲିଥିବା ବେଳେ ମାର୍ଚ୍ଚ ମାସରେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଇଛି  ।

Leave a Reply