କଟକ ଦୁର୍ଗାପୂଜାକୁ ନେଇ ନୂଆ ବିବାଦ: ବିନା ମତାମତରେ ସିପି ନିର୍ଦ୍ଦେଶନାମା ଜାରି କରିଥିବା ଅଭିଯୋଗ

କଟକ: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ ଥମିନଥିବାବେଳେ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ବିବାଦରେ ଯୋଡ଼ିଛି ନୂଆ ଫର୍ଦ୍ଦ ।  ନିର୍ଦ୍ଦେଶନାମାରେ ପୂଜା ପରମ୍ପରା ସହିତ ଜଡ଼ିତ ଥିବା ତିନି ଜଣ ବ୍ୟକ୍ତିଙ୍କ ମତାମତ ନିଆଯାଇଥିବା କୁହାଯାଇଛି । ତେବେ ଏହି ତିନି ବ୍ୟକ୍ତିଙ୍କ ସହ ପୋଲିସ ପ୍ରଶାସନ କୌଣସି ଆଲୋଚନା କରି ନ ଥିବା ଜଣାପଡିଛି । ଯାହାକୁ ନେଇ ଦେଖାଦେଇଛି ବିବାଦ । ସେପଟେ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟ ଯିବ ବୋଲି କହିଛି ବାଲୁବଜାର ପୂଜା କମିଟି ।

ଜଟିଳ ପରିସ୍ଥିତିରେ ହେଉଛି ମାଆଙ୍କ ପୂଜା । ମୂର୍ତ୍ତି ନିର୍ମାଣକୁ ନେଇ ଥମିନି ବିବାଦ । ଏପଟେ ବିବାଦରେ ସିପିଙ୍କ ନୂଆ ନିର୍ଦ୍ଦେଶାନାମା । ମା’ଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ ହାଇକୋର୍ଟ ଯାଏଁ ପହଞ୍ଚିବାବେଳେ ଏପଟେ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ଆସିବା ପରେ ଏହାକୁ ନେଇ ଦେଖାଦେଇଛି ବିବାଦ । ସିପିଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବା ୩ ଜଣ ପାରମାର୍ଶଦାତାଙ୍କୁ ନେଇ ଅଡୁଆ ସୃଷ୍ଟି ହୋଇଛି । ରିର୍ପୋଟ ଅନୁଯାୟି ତିନି ପରାମର୍ଶଦାତାଙ୍କ ମତାମତ ଅନୁସାରେ ବେଲବରଣୀ ଓ ପ୍ରାଣପ୍ରତିଷ୍ଠା ଯାଏଁ ମା’ଙ୍କ ମୂର୍ତ୍ତିର ଉଚ୍ଚତାର ଛୋଟ ବଡ଼ ଓ ଆକାରରେ ପରିବର୍ତ୍ତନ କରାଯାଇପାରିବ ।

ଏହି ଆଧାରରେ ମୂର୍ତ୍ତି କାରିଗର ପ୍ରଦୀପ ବେହେରା ଓ ଦୁଇ ଜଣ ପୂଜକ ମନୋଜ ପଣ୍ଡା ଓ ରାଜକିଶୋର ଶତପଥୀଙ୍କ ମତାମତ ନିଆଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । କିନ୍ତୁ ପୋଲିସ କମିଶନର କିମ୍ବା ଅନ୍ୟ କେହି ପୋଲିସ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରି ନାହାଁନ୍ତି । କିମ୍ବା ମତାମତ ନେଇ ନ ଥିବା କହିଛନ୍ତି ପୂଜକ ମନୋଜ ପଣ୍ଡା ଓ ମୂର୍ତ୍ତି କାରିଗର ପ୍ରଦୀପ ବେହେରା । ଏପରିକି ସେମାନଙ୍କ ନାଁ ରିର୍ପୋଟରେ ସିପି କିଭଳି ଉଲ୍ଲେଖ କଲେ ତାହା ଜାଣି ସେମାନେ ତାଜୁବ ହୋଇଯାଇଛନ୍ତି ।

ଏତିକିରେ ସୀମିତ ନାହିଁ ସିପିଙ୍କ ରିର୍ପୋଟ ବିବାଦ । ଏହି ରିର୍ପୋଟରେ ଉଲ୍ଲେଖ ରହିଛି ହାଇକୋର୍ଟରେ ଇଣ୍ଟରଭିନର ହୋଇଥିବା ପିଟିସନର ମାନେ ଭୁଲ ତଥ୍ୟ ଉପସ୍ଥାପନା କରିଛନ୍ତି । ମୂର୍ତ୍ତି ନିର୍ମାଣ ନ କରି ମଧ୍ୟ ମଣ୍ଡପରେ ମୂର୍ତ୍ତି ଠିଆ ହୋଇଥିବା କଥା କୋର୍ଟରେ ଉଲ୍ଲେଖ ରହିଛି । ସିପିଙ୍କ ରିର୍ପୋଟ ମୁତାବକ କଟକରେ ମୋଟ ୧୬୨ଟି ପୂଜା ମଣ୍ଡପ ମଧ୍ୟରୁ ୧୪୨ଟି ମଣ୍ଡପ ମୂର୍ତ୍ତି ତିଆରି କରି ନହାଁନ୍ତି । ୯ ଟି ମଣ୍ଡପ ସରକାରୀ ନିୟମ ଅନୁସାରେ ୪ ଫୁଟର ମୂର୍ତ୍ତି ତିଆରି କରିଛନ୍ତି । ୯ଟି ପୂଜା ମଣ୍ଡପ ବଡ ମୂର୍ତ୍ତି ତିଆରି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଟି ୫ ଫୁଟ ଉଚ୍ଚ ଓ ୯ଟି ୮ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ବୁଧବାର ସଂନ୍ଧ୍ୟା ୭ଟା ସୁଦ୍ଧା ୪ ଫୁଟରୁ ଉଚ୍ଚତା ମୂର୍ତ୍ତି ଆବେଦନ କରିଥିବା ପୂଜା କମିଟିକୁ ମଧ୍ୟ ଅନୁମତି ପ୍ରଦାନ କରିନାହାଁନ୍ତି ପୋଲିସ କମିଶନର । ଯାହାଫଳରେ ବଡ଼ ମୂର୍ତ୍ତି ଗଠନ କରିଥିବା ପୂଜା କମିଟିଙ୍କୁ ଲାଗିଛି ବଡ଼ ଝଟକା । ଏଭଳି ଏକ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛି ବାଲୁବଜାର ପୂଜା କମିଟି । ଅପରପଟେ କଟକରେ ପୂଜାକୁ ନେଇ କୌଣସି ବିବାଦ ନଥିବା କହିଛନ୍ତି କଟକ ଡିସିପି ।

ବର୍ଷେ କି ଦୁଇ ବର୍ଷ ନୁହେଁ ବିଗତ ୬ ଶହ ବର୍ଷରୁ ଊର୍ଦ୍ଧ୍ୱ ଧରି ମା’ ଦୁର୍ଗା ଐତିହାସିକ ସହର କଟକରେ ପୂଜା ପାଇ ଆସୁଛନ୍ତି । ଅନେକ ଜଟିଳ ସ୍ଥିତି ମଧ୍ୟରେ ବି ମାଙ୍କ ପୂଜା ହୋଇଛି । ତେବେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ମାଙ୍କ ମୂର୍ତ୍ତି ପୂଜା ଆଗକୁ କିପରି ହେବ ତାହାକୁ ନେଇ ଦ୍ୱନ୍ଦ ଭିତରେ ରହୁଛନ୍ତି କଟକର ସମସ୍ତ ପୂଜା କମିଟି ।

Leave a Reply