ବିଧାନସଭା ପ୍ରଥମ ଦିନ: ଟାର୍ଗେଟରେ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍, କଂଗ୍ରେସର ହଙ୍ଗାମା…

ଭୁବନେଶ୍ୱର: ବିଧାନସଭାର ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ହଙ୍ଗାମା ଦେଖା ଦେଇଛି । କଂଗ୍ରେସ ବିଧାନସଭାରେ ସରକାରଙ୍କର ଏହି ବିଲ କଡ଼ା ଭାଷାରେ ସମାଲୋଚନା କରିଛି ଓ ତୀବ୍ର ବିରୋଧ କରିଛି । କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଲର ବିରୋଧରେ ମତପୋଷଣ କରି କହିଛନ୍ତି ଯେ, ଏହି ବିଲ୍ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ସ୍ୱୟଂଶାସନ କମିବ ।

ବିଲର ଉଦ୍ଦେଶ୍ୟ ଏଭଳି ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ସରକାର ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପତ୍ର ନହଲୁ ବୋଲି ସରକାର ଚାହୁଁଛନ୍ତି । ଏଣୁ ଏହି ବିଲ୍ ଆଣି ବିଶ୍ୱବିଦ୍ୟାଳୟର କର୍ତ୍ତୃତ୍ୱ କମାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ।   ସେହିଭଳି ଏବେ କରୋନା ସମୟ । କରୋନାଠାରୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥାଇପାରେ । ସରକାର କରୋନା ମୁକାବିଲା ଉପରେ ଧ୍ୟାନ ନଦେଇ ବିଶ୍ୱବିଦ୍ୟାଳୟ ବିଲକୁ ପାରିତ କରିବା ପାଇଁ ଏତେ ବ୍ୟସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏଣୁ ଏହାକୁ ତରବରିଆ ଭାବେ ପାସ୍ ନକରିବା ପାଇଁ ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ନରସିଂହ ମିଶ୍ରଙ୍କର ଏଭଳି ମନ୍ତବ୍ୟକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିରୋଧ କରିଛନ୍ତି । ତାଙ୍କ କହିବା କଥା ଯେ, ବିଶ୍ୱବିଦ୍ୟାଳୟ ଆଇନ ଆସିଲେ, ବିଶ୍ୱବିଦ୍ୟାଳୟର ସ୍ୱଂୟ ଶାସନ ସାମାନ୍ୟତମ ମଧ୍ୟ ପ୍ରଭାବିତ ହେବ ନାହିଁ । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ୟୁନିଭରସିଟି ଆକ୍ଟ ଆଧାରରେ ପରିଚାଳିତ ହେବ । ଏହି ବିଲ୍ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଅଭିବୃଦ୍ଧିରେ ସହାୟକ ହେବା ସହ ଯୁଗାନ୍ତକାରୀ ହେବ । ସେହିଭଳି ଶିକ୍ଷା କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବା ଯାଇ ଶ୍ରୀ ସାହୁ କହିଥିଲେ ଯେ, ତିନି ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ।

Leave a Reply