ବିଧାନସଭାରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି, ଗୃହରେ ହୋ-ହଲ୍ଲା

Tara prasad Bahinipati

ଭୁବନେଶ୍ୱର: ବିଧାନସଭାରେ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବି । ୨୦ ବା ତାଠାରୁ କମ୍ ପିଲା ଥିବା ପ୍ରାଥମିକ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି ହେଲା । ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଆଗରେ ଲାଗିଥିବା ଫାଇବର ଗ୍ଲାସ୍‌ରେ ଏହାକୁ ବିରୋଧ କରି ମୁଣ୍ଡ ପିଟିଛନ୍ତି ।

ଏଭଳି ପରିସ୍ଥିତି ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ରବିବାର ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ବନ୍ଦ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଥିଲେ, ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ସରକାର ନିର୍ଦ୍ଦେଶ ଦିଅନ୍ତୁ, କୌଣସି ସ୍କୁଲ ବନ୍ଦ ନହେଉ । ଆବଶ୍ୟକ ପଦକ୍ଷେପ ନିଆଯାଉ ।

Narsingh Mishra

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ କହିଥିଲେ ସ୍କୁଲ ବନ୍ଦ ନହେଉ । ସ୍କୁଲ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ବିଜେପି ଓ କଂଗ୍ରେସ ଦାବି କରିଥିଲେ । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ସରକାର ସ୍କୁଲ ବନ୍ଦ କରିବାକୁ ହଠାତ୍ କୌଣସି ନିଷ୍ପତ୍ତି ନେଇନାହାନ୍ତି । ଜିଲ୍ଲା ଓ ବ୍ଲକ୍‌ ସ୍ତରରେ କମିଟି ଗଠନ କରାଯାଇଛି । ସେମାନେ ନିଷ୍ପତ୍ତି ନେବେ । ହଠାତ୍‌ ସରକାର ସ୍କୁଲ ବନ୍ଦ କରିବେ ନାହିଁ । ସରକାର ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।

ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଲକ୍ଷ୍ୟ । ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ । ତେବେ କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପ୍‌ଆଉଟ୍‌ ନହୁଅନ୍ତି ତାକୁ ଆଖି ଆଗରେ ରଖି ପଦକ୍ଷେପ ନିଆଯାଉଛି । ୧୪ ହଜାର ସ୍କୁଲ ନୁହେଁ, ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭ହଜାର ୭୭୨ ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ରହିଛି ।

Leave a Reply