ବାଲେଶ୍ୱର ସଦର: ବିଜେଡ଼ିର କଳେବର ବୃଦ୍ଧି, ପୂର୍ବତନ କଂଗ୍ରେସ ପ୍ରାର୍ଥୀ ମାନସଙ୍କ ବିଜେଡିରେ ଯୋଗଦାନ

ବାଲେଶ୍ୱର: ବାଲେଶ୍ୱର ସଦର ଅଞ୍ଚଳର ଟାଣୁଆ ସଙ୍ଗଠକ ମାନସ ଦାସ ପଟ୍ଟନାୟକ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ମାନସଙ୍କ ବିଜେଡିରେ ଯୋଗଦାନ କଂଗ୍ରେସ ପାଇଁ ଝଟକା ସଦୃଶ । ଅନୁରୂପଭାବେ ବିଜେପି ପାଇଁ ଏକ ନୂଆ ସମସ୍ୟା । ୨୦୧୮ରେ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ମାନସ ଦାସପଟ୍ଟନାୟକ ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୋଇଥିଲେ ।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ୧୯,୭୦୪ ଖଣ୍ଡ ଭୋଟ୍ ପାଇଥିଲେ । ଏହା ପୂର୍ବବର୍ଷ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୨୪,୭୨୦ ଖଣ୍ଡ ଭୋଟ ପାଇଥିଲେ । ନିଜସ୍ୱ ସାଙ୍ଗଠନିକ କ୍ଷମତା ଜରିଆରେ ୧୮,୦୦୦ରୁ ୨୫,୦୦୦ ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ମାନସ ରଖନ୍ତି । ତେଣୁ ପୂର୍ବାପେକ୍ଷା ଏହି ଆସନରେ ବିଜେଡିର ଭୋଟ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

୨୦୧୯ରେ ବିଜେପିର ମଦନମୋହନ ଦତ୍ତ ଏହି ଆସନରୁ ବିଜୟୀ ହୋଇଥିଲେ । ତାଙ୍କର ଅକାଳ ବିୟୋଗ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ର ରାଜନୈତିକ ପରିସ୍ଥିତରେ ବ୍ୟାପକ ପରିବର୍ତ୍ତନ ଆସିଛି । ତେଣୁ ଏହି ଆସନକୁ ବଜାୟ ରଖିବା ଭାଜପା ପାଇଁ ଏତେଟା ସହଜ ନୁହେଁ ବୋଲି କୁହାଯାଉଛି । ଦିନ ଗଡିବା ସହ କୌଣସି ନା କୌଣସି ପଞ୍ଚାୟତରୁ ଅଥବା ୱାର୍ଡରୁ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଯାହା ବିଜେଡିର କଳେବର ବୃଦ୍ଧି କରୁଛି ।

ସେହିପରି ବିଜେଡ଼ି ଶୀର୍ଷ ନେତାଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରିଷ୍ଠ ନେତା ରବୀନ୍ଦ୍ର ଜେନା, ସୁବାସିନୀ ଜେନା ଏବଂ ଜୀବନ ପ୍ରଦୀପ ଦାସଙ୍କ ପରିଚାଳନା ସଙ୍ଗଠନକୁ ଆହୁରି ମଜଭୁତ କରିଛି । ସେଠାରେ ବିଜେଡି କର୍ମୀ ଘର ଘର ବୁଲି କ୍ୟାମ୍ପେନିଂ ଆରମ୍ଭ କରିବା ସହ କ୍ଷୁଦ୍ର ଜନସଭା କରୁଛନ୍ତି ।

 

Leave a Reply