ବରବାଦ ପରେ ବି ବୁଦ୍ଧି ଶିଖିଲାନି କଂଗ୍ରେସ, ଚାଲିଛି ରାଜନୀତିରେ ପଲିଟିକ୍ସ

1 min read

ଭୁବନେଶ୍ୱର: ( ଚିନ୍ମୟ ମହାପାତ୍ର ) କ୍ଷମତା ପାଇବା, ଶାସନ ଗାଦିକୁ ଫେରିବା ଏ ମିଶନକୁ ଯେମିତି ଏବେ ଭୂଲିଯାଇଛି ରାଜ୍ୟ କଂଗ୍ରେସ । ପ୍ରକୃତ କ୍ଷମତା ଶାସକ ଗାଦି ନୁହେଁ, ବଂର ପିସିସି ଚୌକିରେ ରହିଛି ଏକଥା ବୁଝିଛନ୍ତି କଂଗ୍ରେସ ନେତାଏ । ଯେଉଁଥିପାଇଁ ଆଜିକୁ ୧୯ବର୍ଷ ଧରି କଂଗ୍ରେସ ଓଡ଼ିଶାରେ କଂଗ୍ରେସ ସହ ଲଢୁଛି କହିଲେ ଭୁଲ୍ ହେବ ନାହିଁ ।  ପରୋକ୍ଷରେ ଦଳକୁ ଏହାର ଫଳ ଭୋଗିବାକୁ ପଡୁଥିବା ସମସ୍ତେ କହୁଛନ୍ତି ।

୧୯ ବର୍ଷ ଧରି ଦଳ କ୍ଷମତା ବାହାରେ ରହିଛି । ୨୦୧୯ରେ ଏଭଳି ହେଲା ଯେ, ମୁଖ୍ୟ ବିରୋଧୀ ଦଳରୁ ସିଧା ରାଜ୍ୟର ତିନି ନମ୍ବରକୁ ଖସିଲା କଂଗ୍ରେସ । ପରିସ୍ଥିତି ଏପରି ହେଲାଣି ଯେ ଗୋଟିଏ ଗୋଟିଏ ବୁଥରେ କଂଗ୍ରେସ ଖଣ୍ଡିଏ ଭୋଟ୍ ବି ପାଉନି । କଂଗ୍ରେସ ଟିକେଟରେ ଲଢୁଥିବା ବହୁ ନେତା ଅମାନତ ହରାଉଛନ୍ତି । ତୃଣମୂଳ ଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱ ପର୍ଯ୍ୟନ୍ତ ସଂଗଠନ ମଧ୍ୟ ଢିଲା ଦିଶୁଛି ।

ଦଳ ଯେପରି ରାଜନୈତିକ କାର୍ଯ୍ୟକଳାପ କରିବା କଥା ତାହା ହେଉନଥିବା କର୍ମୀ କହିଲେଣି । ଏକ ରକମ କହିବାକୁ ଗଲେ ଦଳ କେବଳ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରିବାକୁ ରାଜ୍ୟରେ ଥିବା ଭଳି ଅନୁଭବ ହେଉଛି । ୨୦୧୯ ସାଧାରଣ ନିବାର୍ଚନରେ କଂଗ୍ରେସ ୧୪୭ ଆସନରୁ ଏଥର ଦୁଇଅଙ୍କ ମଧ୍ୟ ଛୁଇପାରିନାହିଁ । ମାତ୍ର ୯ଜଣ ବିଧାୟକରେ ଦଳ ସୀମିତ ରହିଛି । ସେହିପରି ୨୧ଟି ଲୋକସଭା ଆସନ ମଧ୍ୟରୁ ଦଳ କେବଳ ଗୋଟିଏ ଆସନରେ ସୀମିତ ରହିଛି ।

୧୪୦ ବର୍ଷର ଏହି ପୁରୁଣା ଦଳ ଓଡ଼ିଶାରେ କୋମା ସ୍ଥିତିିକୁ ଯିବାର ମୁଖ୍ୟ କାରଣ ସାଜିଛି ଦଳର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ । ତେବେ ଏଥିରେ କିଛି ନୂଆ ନାହିଁ, ଏହା କଂଗ୍ରେସର ପୁରୁଣା ରୋଗ ବୋଲି ସଭିଏଁ ଜାଣି ସାରିଲେଣି ।ଯେତେବେଳେ ବି ଯାହାକୁ ହାଇକମାଣ୍ଡ ପିସିସି ଦାୟିତ୍ୱ ଦେଇଛନ୍ତି ତା ପର ଦିନଠାରୁ ଆରମ୍ଭ ହୋଇଯାଏ ବିରୋଧ । କିଛି ନେତା ଖୋଲାଖୋଲି ଭାବେ ଗଣମାଧ୍ୟମରେ ବୟାନବାଜି କରନ୍ତି ନୂଆ ସଭାପତିଙ୍କ ନାଁରେ । ଆଉ ଆରମ୍ଭ ହୁଏ ସଭାପତି ହଟାଅ ଅଭିଯାନ । ଏଥିପାଇଁ ଭୁବନେଶ୍ୱରରୁ ଦିଲ୍ଳୀ ଦୌଡ଼ନ୍ତି ନେତା । ଦିଲ୍ଳୀର ହେଭିଓ୍ୱେଟ୍ କଂଗ୍ରେସ ନେତାଙ୍କୁ ଧରି ହାଇକମାଣ୍ଡଙ୍କ ପାଖରେ ଆରମ୍ଭ ହୋଇଯାଏ ପିସିସି ସଭାପତି ହଟାଅ ଲବି । ଚୌକି ପାଇଁ ରାଜ୍ୟ କଂଗ୍ରେସରେ ଚାଲେ ଟଣାଓଟରା, ସାଘାତିକ ଲବି ।

ସବୁଠାରୁ ବଡ଼କଥା ହେଉଛି, ଏହି ଚୌକି ହଟାଅ ଅଭିଯାନ ପ୍ରାୟ ଅଧିକାଂଶ ସମୟରେ ସଫଳ ହୁଏ । ଯେଉଁଥିପାଇଁ କଂଗ୍ରେସ ନେତାଏ ସବୁ କାମ ଛାଡ଼ି କାଳେ ଏହି ଅଭିଯାନରେ ନିଜକୁ ସାମିଲ କରିବାରେ ଲାଗିପଡ଼ନ୍ତି । ଏହି ଚୌକି ହଟାଓ ଷକ୍ଷଯନ୍ତ୍ରରେ କଂଗ୍ରେସର ଚାଣକ୍ୟ ସ୍ୱର୍ଗତ ଜାନକୀ ବଲ୍ଲବ ପଟ୍ଟନାୟକ ଦିନେ ଶିକାର ହୋଇଥିଲେ। ଏହାପରେ ହେମାନନ୍ଦ ବିଶ୍ୱାଳ, ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ , କାମାକ୍ଷା ପ୍ରସାଦ ସିଂହଦେଓ, ଶରତ ପଟ୍ଟନାୟକ ପ୍ରମୁଖ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।

ଗତ ୨୦ବର୍ଷରେ ୧୦ରୁ ଅଧିକ ପିସିସି ସଭାପତି ହଟିଛନ୍ତି । ସମସ୍ତେ ଗୋଷ୍ଠୀ ବିବାଦ କାରଣରୁ ହଟିଥିବା ଅଭିଯୋଗ ହୁଏ । ସବୁ ସଭାପତି ସମଦଶା ଭୋଗନ୍ତି ଚୌକି ପାଇବା ପରେ । ଯେତେ ଭଲ ନେତା ହୋଇଥିଲେ ବି ଗୋଷ୍ଠୀ ବିବାଦର ବିଦ୍ରୋହ ସେମାନଙ୍କ ପିଛା ଛାଡ଼େନାହିଁ । କାହାର କେତେବେଳେ ଚୌକି ପଳାଇଯାଇଛି ତାହା ପିସିସି ସଭାପତି ଥିବା ନେତାମାନେ ମଧ୍ୟ ଜାଣିପାରିନାହାନ୍ତି ।

୨୦୦୦ ମସିହାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଗୋଷ୍ଠୀ ବିବାଦର ସମ୍ମୁଖୀନ ହୋଇ ପିସିସି ସଭାପତି ପଦରୁ ହଟିଥିଲେ । ଏହାପରେ ଶରତ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ୱାଳ ଏହାର ଶିକାର ହେଲେ । ଆଗରୁ ଏଭଳି ମଧ୍ୟ ନଜିର ରହିଛି ଯେ, ବର୍ଷ ତମାମ ଜଣେ ପିସିସି ସଭାପତି କାର୍ଯ୍ୟ କରିଥାନ୍ତି କିନ୍ତୁ ଠିକ୍ ନିର୍ବାଚନ ଆସିଲେ ବଦଳିଯାଏ ଚୌକି । ଦବଳିଯାଆନ୍ତି ସଭାପତି । ଦିଲ୍ଲୀରେ ଲବି ହୁଏ, ଭୁବନେଶ୍ୱରରେ ବୟାନବାଜି, ବୈଠକ ଆହୁରି କେତେ କ’ଣ । ଅନ୍ୟ ରାଜନୀତିକ ଦଳ କର୍ମୀଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ କଂଗ୍ରେସ ନିଜ ଘର ସଜାଡୁଥିବାର ଦେଖିବାକୁ ମିଳିଥାଏ ।

୨୦୦୮ ମସିହାରେ ଜୟଦେବ ଜେନା ପିସିସିର ମଙ୍ଗ ଧରିଥିଲେ, ମାତ୍ର ଠିକ୍ ୨୦୦୯ ନିବାର୍ଚନ ଆସିବା ବେଳକୁ ତାଙ୍କୁ ପଦଛାଡ଼ିବାକୁ ପଡ଼ିଥିଲା । ଏହାପରେ ୨୦୦୯ରେ ସଭାପତି ମଙ୍ଗ ଧରିଥିଲେ ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ । ୨ବର୍ଷ ପରେ ସେ ଏହି ପଦବୀରୁ ହଟିଥିଲେ ।

୨୦୧୧ ମସିହାରେ ପିସିସି ସଭାପତି ହୋଇଥିଲେ ନିରଂଜନ ପଟ୍ଟନାୟକ। ୨୦୧୩ ମସିହାରେ ତାଙ୍କ ବିରୋଧରେ ଅସନ୍ତୁଷ୍ଟ ଗୋଷ୍ଠୀ ଦିଲ୍ଲୀରେ ଲବି କରିବାରୁ ସେ ଅକ୍ଷୟ ତୃତୀୟାରେ ସଭାପତି ପଦ ଛାଡ଼ିଥିଲେ । ତାଙ୍କ ପରେ ପୁଣିଥରେ ପିସିସିର ମଙ୍ଗ ଧରିଥିଲେ ଜୟଦେବ ଜେନା । କିନ୍ତୁ ବେଶୀଦିନ ରହିପାରିନଥିଲେ ଜୟଦେବ । ୨୦୧୪ରେ ରାଜ୍ୟରେ କଂଗ୍ରେସର ପରାଜୟ ସହ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଦିଲ୍ଲୀରେ ମେଳି କରିଥିଲେ । ଦିଲ୍ଳୀ ଦରବାରରେ ଲବି ହେଲା, ବିଦାହେଲେ  ଜୟଦେବ ।

ଏହାପରେ ଜଣେ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ପ୍ରସାଦ ହରିଚନ୍ଦନଙ୍କୁ ପିସିସି ଦାୟିତ୍ୱ ଦେଲେ ହାଇକମାଣ୍ଡ। ହେଲେ ୨୦୧୬ରେ ୧୬ଜଣ ବିଧାୟକ ଦିଲ୍ଲୀରେ ଯାଇ ପ୍ରସାଦ ହଟାଅ ଅଭିଯାନ ଆରମ୍ଭ କଲେ । ଶେଷରେ ବିଧାୟକଙ୍କ ଜିଦ୍ ଆଗରେ ପ୍ରସାଦ ବଳି ପଡ଼ିଲେ ।

୨୦୧୮ ଏପ୍ରିଲ ମାସରେ ପ୍ରସାଦ ବିଦା ହେବା ପରେ ଦ୍ୱିତୀୟଥର ପାଇଁ ପିସିସି ମଙ୍ଗ ଧରିଲେ ନିରଂଜନ ପଟ୍ଟନାୟକ । ୨୦୧୯ ନିବାର୍ଚନ ତାଙ୍କ ନେତୃତ୍ୱରେ ଦଳ ଲଢିଲା । ଆଉ ଏବେ ନିରଜଂନଙ୍କ ବିରୋଧରେ ଦୁଇ ସପ୍ତାହ ହେବ ମେଳି କଲେଣୀ ନେତାଏ । ଆସନ୍ତା ୧୦ ତାରିଖରେ ଦିଲ୍ଳୀଯାଇ ହାଇକାମାଣ୍ଡଙ୍କୁ ଭେଟିବାକୁ ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ ।

ଉଭୟ ନିରଂଜନ ଓ ବିରୋଧୀ ଗୋଷ୍ଠୀ ବି ମୁହାମୁହିଁ ହୋଇଛନ୍ତି ଗଣମାଧ୍ୟମରେ । ଯଦି କଂଗେ୍ରସ ଇତିହାସକୁ ନଜରକୁ ନିଆଯାଏ । ତେବେ ନିରଂଜନ ଯେ ପୁଣି ହଟିବେ ଓ ତାଙ୍କ ପରେ ଆଉ କାହାକୁ ହାଇକମାଣ୍ଡ ପିସିସି ସଭାପତି ଦାୟିତ୍ୱ ଦେବେ ଏହା ଜଳଜଳ କରି ଦିଶୁଛି। ବର୍ତ୍ତମାନ ପିିସିସି ସଭାପତି ଥିବା ନିରଜଂନ ପଟ୍ଟନାୟକ ବି ଚୌକି ପାଇଁ କଂଗ୍ରେସ ଗୋଷ୍ଠୀ ବିବାଦ ୨୫ ବର୍ଷର ପୁରୁଣା ରୋଗ ଏବେ ପୁଣିଥରେ ବାହାରିଛି ବୋଲି ବାରମ୍ବାର କହିଲେଣି । ')}

Leave a Reply