ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନାଁରେ ଅଭିଯୋଗ, ଅବହେଳାରୁ ଗଲା ୨ ଜୀବନ

ଜଗତସିଂହପୁର: ଆଇସୋଲେସନ୍ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ, ସ୍ତ୍ରୀର ଆତ୍ମହତ୍ୟା ପାଇଁ ଦାୟୀ କିଏ ? ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା କି ୨ ଜୀବନ ? ଜୁଲାଇ ୨ ତାରିଖର ଏ ଘଟଣା ଭିନ୍ନ ମୋଡ଼ ନେଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତରଙ୍କ ଅଣଦେଖା ଓ ଅବହେଳା କାରଣରୁ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତ ନିର୍ଲିପ୍ତ ଭୋଳଙ୍କ ଭିଣୋଇ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପାଳ, ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରେ ଦର୍ଶାଯାଇଛି ନିର୍ଲିପ୍ତଙ୍କ ଦେହ ଖରାପ ହେବାରୁ ତାଙ୍କୁ ବୁଧବାର ରାତି ପ୍ରାୟ ୧୨ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ସ୍ତ୍ରୀ ସୁଭଦ୍ରା ଡାକ୍ତରଙ୍କୁ ବାରମ୍ବାର ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ହେଁ କେହି ଶୁଣିନଥିଲେ । ଡାକିବା ସତ୍ତ୍ୱେ ଚିକିତ୍ସା ପାଇଁ ଆସିନଥିଲେ ସିଡିଏମଓ ଡାକ୍ତର ବିଜୟ ପଣ୍ଡା ଓ ଡାକ୍ତର ଅଜୟ ସ୍ୱାଇଁ । ଫଳରେ ଆଖି ବୁଜିଥିଲେ ନିର୍ଲିପ୍ତ । ଆଖି ଆଗରେ ସ୍ୱାମୀଙ୍କ ମୃତ୍ୟୁ ଦେଖି ସହି ପାରିନଥିଲେ ସୁଭଦ୍ରା । ମେଡିକାଲରେ ହିଁ ଆତ୍ମହତ୍ୟା କରିଥିଲେ ।

ସ୍ୱାମୀଙ୍କ ମୃତ୍ୟୁ ପରେ ଓ ଆତ୍ମହତ୍ୟା ପୂର୍ବରୁ ସୁଭଦ୍ରା କୋହଭରା କଣ୍ଠରେ ଏସବୁକୁ ରେକର୍ଡିଂ କରିଛନ୍ତି । ଡାକ୍ତରମାନେ ଚିକିତ୍ସା ନକରିବାରୁ ସ୍ୱାମୀଙ୍କ ମୃତ୍ୟୁ ହେଲା । ଏଥିପାଇଁ ଡାକ୍ତର ହିଁ ଦାୟୀ । ଆତ୍ମହତ୍ୟା ପୂର୍ବରୁ ସୁଭଦ୍ରା ଏଭଳି ଅଡିଓ ରେକର୍ଡିଂ କରି ବିଭିନ୍ନ ନମ୍ବରକୁ ପଠାଇଥିଲେ । ଯାହାକି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବ୍ୟକ୍ତିଙ୍କ ଚିକିତ୍ସା କରିବା ମନା କି ? ନା କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତି ଅଛୁଆଁ ? ସଂକ୍ରମଣ ଭୟରେ ଜୀବିତ ବ୍ୟକ୍ତିଙ୍କୁ କାହିଁକି ଛୁଇଁଲେନି ଡାକ୍ତର ? ଏମିତି ଅନେକ ପ୍ରଶ୍ନ ଉଠୁଛି ।

ସମ୍ପୂର୍ଣ୍ଣ ଘଟଣା କଣ ?
ହାଇଦ୍ରାବାଦର ଏକ ପଲିଥିନ କମ୍ପାନୀରେ କାମ କରୁଥିଲେ ଏରସମା ବ୍ଲକ କଟିଜଙ୍ଗା ଗାଁର ନିର୍ଲିପ୍ତ । ନିର୍ଲିପ୍ତ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଜୁନ୍ ୩୦ ତାରିଖରେ ହାଇଦ୍ରାବାଦରୁ ଫେରି ଜଗତସିଂହପୁର ଏସଭିଏମ୍ କଲେଜ ଆର୍ଟସ ବ୍ଲକରେ ପହଞ୍ଚି ନାମ ପଞ୍ଜିକରଣ କରିଥିଲେ । ସେହିଦିନ ଉଭୟଙ୍କୁ ଏରସମାର ଏକ କ୍ୱାରେଣ୍ଟଟାଇନ୍ ସେଣ୍ଟରରେ ରଖିଥିଲା ପ୍ରଶାସନ । ଜୁଲାଇ ୧ ତାରିଖ ରାତିରେ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟର ଆଇସଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ହେଲେ ଡାକ୍ତର ଚିକିତ୍ସା କଲେ ନାହିଁ । ଗୁରୁବାର ଜୁନ୍ ୨ ତାରିଖରେ ପୁଣି ନିର୍ଲିପ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ଡାକ୍ତର ଆସିନଥିଲେ । ଦିନ ପ୍ରାୟ ୨ଟା ୩୦ରେ ନିର୍ଲିପ୍ତଙ୍କ ମୃତ୍ୟୁ ହୋଇଥିଲା । ଆଖି ଆଗରେ ସ୍ୱାମୀଙ୍କ ମୃତ୍ୟୁ ଓ ଚିକିତ୍ସା ଅବହେଳା ଦେଖି ସହିପାରି ନଥିଲେ ସୁଭଦ୍ରା । ନର୍ସଙ୍କ ସହ ଯୁକ୍ତିତର୍କ ପରେ ସେହିଠାରେ ବେକରେ ଲୁଗାଦେଇ ଆତ୍ମହତ୍ୟା କରିଥିଲେ ।

ସୁଭଦ୍ରାଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ଛାଡ଼ି ଯାଇଛି । ନିର୍ଲିପ୍ତଙ୍କ ଭିଣୋଇଏସବୁ ପାଇଁ ଡାକ୍ତରଖାନା କର୍ମଚାରୀ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଅଭିଯୋଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି । ଅଭିଯୋଗ ପ୍ରକାରେ ତଦନ୍ତ ହେବ ବୋଲି କହିଛି ପୋଲିସ ।

Leave a Reply