ବ୍ୟାଙ୍କ୍-କମିଶନରେଟ୍ ପୋଲିସର ମିଳିତ ବୈଠକ; ଲୁଟ୍ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି…

1 min read

ଭୁବନେଶ୍ୱର: ସେପ୍ଟେମ୍ୱର ୭ ତାରିଖରେ ନନ୍ଦନବିହାରରୁ ବନ୍ଧୁକ ମୁନରେ ଅଢେଇ ଲକ୍ଷ ଲୁଟ୍ ହେଲା । ସେପ୍ଟେମ୍ୱର ୨୮ ତାରିଖରେ ବରମୁଣ୍ଡାରୁ ବନ୍ଧୁକ ଦେଖାଇ ସାଢେ ୯ ଲକ୍ଷ ଟଙ୍କା ଲୁଟ୍ । ସେହିଭଳି ଅକ୍ଟୋବର ୧୧ ତାରିଖରେ ଇନଫୋସିଟି ପାଖ ଏଟିଏମରୁ ଗ୍ୟାସ କଟର ଯୋଗେ ୨୭ ଲକ୍ଷ ୮୪ ହଜାର ଟଙ୍କା ଲୁଟ୍ । ଏଭଳି ଘଟଣା ରାଜଧାନୀ କମିଶନରେଟ୍ ପୋଲିସର ଚିନ୍ତା ବଢାଇଛି । କମିଶନରେଟ୍ ପୋଲିସ କ୍ରମାଗତ ପ୍ରୟାସ ବାରମ୍ୱାର ବିଫଳ ହେବା ପରେ ଏବେ ଆରମ୍ଭ ହୋଇଛି ମିଳିତ ଉଦ୍ୟମ ।

ବ୍ୟାଙ୍କ ଅଧିକାରୀ ଓ କମିଶନରେଟ୍ ପୋଲିସର ମିଳିତ ପ୍ଲାନିଂରେ ଲୁଟେରାଙ୍କୁ ନିଷ୍କ୍ରିୟ କରିବାର ପ୍ରୟାସ ଆରମ୍ଭ ହୋଇଛି । ଆଜି ଏନେଇ ଏକ ସ୍ୱତନ୍ତ୍ର ଆଲୋଚନା ହୋଇଛି । ରାଜଧାନୀରେ ଥିବା ୨୫ଟି ରାଷ୍ଟ୍ରାୟାତ୍ତ ଓ ଘରୋଇ ବ୍ୟାଙ୍କର ଅଧିକାରୀଙ୍କ ସହ ପୋଲିସ ସେବା ଭବନରେ ଏକ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଲୁଟର କାରଣ ଓ ନିରାକରଣ ଉପରେ ଫୋକସ୍ ଦିଆଯାଇଛି । କିଭଳି ଭାବେ ଲୁଟେରାଙ୍କୁ ଟ୍ରାକ୍ କରିହେବ ଓ ବ୍ୟାଙ୍କ ଅର୍ଥକୁ ଅଧିକ ସୁରକ୍ଷିତ କରିହେବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ଏହି ଅବସରରେ ଆରବିଆଇ ତରଫରୁ ଜାରି ହୋଇଥିବା ଏସଓପିକୁ କଡାକଡି ଭାବେ ପାଳନ କରିବା ପାଇଁ ପୋଲିସ କମିଶନର ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି । ସେହିଭଳି ଇ-ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।  ଅନ୍ୟପକ୍ଷରେ ଏଟିଏମ୍ ଲୁଟ୍ କ୍ରମଶଃ ଅଧିକ ସକ୍ରିୟ ହେଉଥିବା ହେତୁ ଏଟିଏମରେ ଭାଇବ୍ରେଟର ସିଷ୍ଟମ ଲଗାଇବାର ଆବଶ୍ୟକତା ରହୁଛି ବୋଲି ଏସବିଆଇ ଡିଜିଏମ୍ ଅମ୍ୱିକା ପ୍ରସାଦ ଯୁକ୍ତି ବାଢିଛନ୍ତି ।

Leave a Reply