‘ଆଉ ଏଥର କ୍ଷମା ନାହିଁ’, ଦାଦାବଟି ରୋକିବାକୁ ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର: ‘ଆଉ ଏଥର କ୍ଷମା ନାହିଁ । ଦାଦାବଟି ଆଦାୟ କରୁଥିଲେ ବନ୍ଧା ହେବ ନିଶ୍ଚୟ । ଆଉ ଜାମିନ ନମିଳିବାର ବ୍ୟବସ୍ଥା ମଧ୍ୟ କରାଯିବ । ଆବଶ୍ୟକ ପଡ଼ିଲେ ଏନ୍‌ଏସ୍‌ଏ ଲଗାଯିବାର ସମ୍ଭାବନା ମଧ୍ୟ ରହିଛି ।’ ଟ୍ୱିନ୍‌ ସିଟିରେ ଦାଦାବଟି ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛି କମିଶନରେଟ୍‌ ପୋଲିସ ।

ଦାଦାବଟିକୁ ରୋକିବା କ୍ଷେତ୍ରରେ କମିଶନରେଟ୍‌ ପୋଲିସ ଯୋଡ଼ିଛି ଆଉ ଏକ ନୂଆ ଫର୍ଦ୍ଦ । ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଜାରି କରିଛି ଟୋଲ ଫ୍ରି ନମ୍ବର । ଏହି ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରି ଦାଦାବଟି ମାଗୁଥିବା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିପାରିବେ ଟ୍ୱିନ୍‌ସିଟି ବାସିନ୍ଦା । ଏହି ଟୋଲ ଫ୍ରି ନମ୍ବର ଟି ହେଉଛି ୯୯୩୮୯୧୦୦୦୦

ଅନ୍ୟପଟେ ବଟି ଆଦାୟ ଅଭିଯୋଗରେ କମିଶନରେଟ ପୋଲିସ ଗିରଫ କରିଥିବା ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଏନ୍‌ଏସ୍‌ଏ ବୁକ୍ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ୧୧୦ ଧାର ବୁକ୍ କରିଛି ପୋଲିସ । ରାଜା ଆଚାର୍ଯ୍ୟ ନାଁରେ ରହିଛି ଅନେକ ସଙ୍ଗୀନ ମାମଲା । ଅପରାଧିକ କାର୍ଯ୍ୟକଳାପ ସହ ଦାଦାବଟି ଆଦାୟ ଅଭିଯୋଗ ବି ରହିଛି ରାଜା ନାଁରେ । ଶନିବାର ୨ ନମ୍ବର ମାର୍କେଟରେ ସରକାରୀ ଜାଗା ଜବରଦଖଲକାରୀଙ୍କୁ ଦାଦାବଟି ମାଗୁଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ତାକୁ ଗିରଫ କରିଥିଲା ।

Leave a Reply