କମିଶନରେଟ୍ ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ୍ ଲୁଟେରା; ନିଶାଦ୍ରବ୍ୟ ଦେଇ କରୁଥିଲେ ଲୁଟ୍….

1 min read

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଥିବା ଦୁଇ ଲୁଟେରାଙ୍କୁ ଶନିବାର ଗିରଫ କରିଛି ଖଣ୍ଡଗିରି ପୋଲିସ । ବରମୁଣ୍ଡା ବସଷ୍ଟାଣ୍ଡରୁ ସଂପୃକ୍ତ ୨ ଅପରାଧିଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କଠାରୁ ନିଶା ଟାବଲେଟ୍, ବ୍ୟାଗ୍, ସୁନା ଚେନ୍, ମୁଦି, ମୋବାଇଲ, ଘାନା ଓ କୁଏତର କରେନ୍ସି, ବାଇକ୍ ଓ ୧ ଲକ୍ଷ ୮ ହଜାର ଲଗତ ଅର୍ଥରାଶି ଜବତ ହୋଇଛି ।

କମିଶନରେଟ୍ ପୋଲିସ ଅନେକ ଦିନ ହେବ ଏମାନଙ୍କ ପିଛା କରୁଥିଲେ ମଧ୍ୟ ଏମାନେ ପୋଲିସକୁ ମାତ ଦେଇ ଖସି ଯିବାରେ ସଫଳ ହେଉଥିଲେ । ତେବେ ଏମାନଙ୍କ ଦୌରାତ୍ମ ବରୁମଣ୍ଡା ଅଞ୍ଚଳରେ କ୍ରମାଗତ ଭାବେ ବଢିବାର ଲାଗିଥିଲା । ସୂଚନା ଅନୁଯାୟୀ, ଏମାନେ ଚିରାଚରିତ ଢଙ୍ଗରେ ଲୋକଙ୍କଠାରୁ ଆସବାପତ୍ର ଛଡାଇବା ପରିବର୍ତ୍ତେ ନୂଆ ଟେକନିକରେ ଚୋରି କରୁଥିଲେ । ପ୍ରଥମେ ଏମାନେ ଏକ ବ୍ୟକ୍ତି ସହ ବନ୍ଧୁତା କରି ତାହା ସହ ମେଳାପୀ ହେବାକୁ ଚେଷ୍ଟା କରନ୍ତି । ପରେ କୌଣସି ପାନୀୟରେ ନିଶା ବଟିକା ଖାଇବାକୁ ଦେଇଥାନ୍ତି ।

ନିଶାସକ୍ତ ହୋଇ ସଂପୃକ୍ତ ବ୍ୟକ୍ତି ଚେତାଶୂନ୍ୟ ପ୍ରାୟ ହେବା ପରେ ଏମାନେ ତାହାର ସମସ୍ତ ଆସବାପତ୍ର ନେଇ ଚମ୍ପଟ ମାରନ୍ତି । ଗଲା ୭ ମାସ ହେବ ଏମାନଙ୍କର ଏଭଳି ଅପରାଧର ଚିଠା ଲମ୍ୱି ଚାଲିଥିବା ବେଳେ ଏଭଳି ଅଭିଯୋଗ ମଧ୍ୟ ଖଣ୍ଡଗିରି ଥାନାକୁ କ୍ରମାଗତ ଭାବେ ଆସୁଥିଲା । ବାରମ୍ୱାର ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତନାଘନା କରିବା ସହ ସୂତ୍ରରୁ ଖବର ପାଇଁ ଆଜି ଏହି ଦୁହିଁକୁ ଗିରଫ କରିଛି । ଦୁହିଁଙ୍କର ନାମ ହେଉଛି-  ସୀମାଞ୍ଚଳ ସୁବୁଦ୍ଧି ଓ ସୁଶାନ୍ତ ରାଉତ । ତେବେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ସରିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି କହିଛି ।

 

Leave a Reply