ଚାଷୀ, ମିଶନ ଶକ୍ତି ଓ MSME କ୍ଷେତ୍ରକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ: ବ୍ୟାଙ୍କଗୁଡ଼ିକ ସହ କରିବେ ଆଲୋଚନା

ଭୁବନେଶ୍ୱର: ବିଗିଡ଼ିଥିବା ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏ ଦିଗରେ ବ୍ୟାଙ୍କ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପଲବ୍ଧି କରି ଆସନ୍ତା ୨୨ ତାରିଖରେ ବୈଠକ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ଜିଲ୍ଲାପାଳ ଓ ବ୍ୟାଙ୍କର ଉପସ୍ଥିତ ରହି ଚାଷୀ, ମିଶନ ଶକ୍ତି ମହିଳା, କୃଷକ ଓ ଏମଏସଏମଇ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ ହେବ । ଖିଲାଫକାରୀ ବ୍ୟାଙ୍କମାନଙ୍କ ବିରୋଧରେ କେନ୍ଦ୍ର ପାଖରେ ଫେରାଦ ହେବେ ରାଜ୍ୟ ସରକାର  ।  କରୋନା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ପଡ଼ିଥିବାରୁ ଏହାର ସିଧା ପ୍ରଭାବ ପଡ଼ିଛି ରାଜ୍ୟର ଅର୍ଥନୀତି ଉପରେ । ଲକଡାଉନ ସରିବା ପରେ ଧୀରେ ଧୀରେ ଏସବୁ କ୍ଷେତ୍ର ଖୋଲିବାରେ ଲାଗୁଛି । ହେଲେ ଗତ ୧୦ ମାସ ଭିତରେ ୪୦ ପ୍ରତିଶତ ପଛକୁ ଠେଲି ହୋଇଯାଇଛି ଅର୍ଥନୀତି । ଏହାକୁ ମାତ୍ ଦେଇ ପୁଣି ଥରେ ଆର୍ଥିକ ସଂସ୍କାର ପାଇଁ ବ୍ୟାଙ୍କ ଉପରେ ଗୁରୁଦାୟିତ୍ବ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରକୃତ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯିବ । ଆଉ ଏହି ଅର୍ଥକୁ ସେମାନେ ଅନ୍ୟ କେଉଁଠି ଖର୍ଚ୍ଚ କରି ପାରିବେ ନାହିଁ । ତା ପାଇଁ ଏକ ମୋଡ୍ୟୁଲ ବି କରାଯିବ । ସେହିପରି ଷ୍ଟାଟଅପ୍ ପାଇଁ ଉତ୍ସାହି ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବ । ଯଦି ବ୍ୟାଙ୍କମାନେ ଋଣ ପ୍ରଦାନ କରିବାରେ ଚଞ୍ଚକତା କରନ୍ତି, ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ । ମହାମାରୀ ସମୟରେ ରାଜ୍ୟର ୫୪୭୫ ବ୍ୟାଙ୍କ ଟାର୍ଗେଟ ହାସଲ କରି ଆର୍ଥିକ ସ୍ଥିତି ସୁଧାରିବାରେ ଲାଗିଛି ।

Leave a Reply