କଟକ ବଡ଼ ମେଡିକାଲକୁ ମଡେଲ୍ ରୋଡ୍ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ….

1 min read

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ଲୁ-ପ୍ରିଣ୍ଟର ପ୍ରଥମ ରୂପାୟନ ହୋଇଛି  । ଉଦ୍‌ଘାଟିତ ହୋଇଛି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଦୁଇପଟ ବନ୍ଧର ନୂଆରାସ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି । ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ ଟ୍ରାନ୍‌ସଫର୍ମେସନ ପ୍ରୋଜେକ୍ଟର ଏକ ଅଂଶ ଭାବେ ନୂଆରାସ୍ତା ଉଦ୍‌ଘାଟିତ ହୋଇଛି  ।

ଓଡ଼ିଶାର ବିକାଶରେ ହଜାରେ ବର୍ଷର ସହର, ଭାଇଚାରାର ସହର କଟକର ଏବଂ ଓଡ଼ିଶାବାସୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନରେ କଟକ ଏସ୍‌ସିବି ମେଡିକାଲର ଯଥେଷ୍ଟ ଅବଦାନ ରହିଛି  । ଏସ୍‌ସିବିକୁ ଏମ୍‌ସ ପ୍ଲସ ଓ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ  । ତାଳଦଣ୍ଡା କେନାଲର ଉଭୟ ପଟ ବନ୍ଧର ନୂଆରାସ୍ତାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି  । ଏସ୍‌ସି‌ବିର ବିକାଶ ଓ କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ଏଥିପାଇଁ ଉଚ୍ଛେଦ ହୋଇଥିବା ଲୋକଙ୍କ ଥଇଥାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି  ।

ମହାନଦୀ ରିଂ-ରୋଡ୍ ନିକଟରୁ ରାଣୀହାଟ ପର୍ଯ୍ୟନ୍ତ ଏହି ୩ଲେନ୍‌ ବିଶିଷ୍ଟ ଦେଢ଼ କିଲୋମିଟର ରାସ୍ତାର ୫ଟି ସ୍ଥାନରେ ୧୨୦ କାର୍ ପାଇଁ ସୁଦୃଶ୍ୟ ପାର୍କିଂ ବ୍ୟବସ୍ଥା ରହିଛି  । ରାସ୍ତା ପ୍ରଶସ୍ତ କରାଯିବା ସହିତ ନିର୍ମାଣ ହୋଇଛି ଫୁଟପାଥ୍‌ । ଏହି ରାସ୍ତାକୁ ଏକ ମଡେଲ ରାସ୍ତା ଭାବେ ଗ୍ରହଣ କରାଯାଉଛି । ସୁନ୍ଦର ଆଲୋକରେ ସଜା ଯାଇଛି  । ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ମହାନଦୀ କୂଳରେ ୬ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌, ମହାନଦୀ ରିଭର୍‌ ଫ୍ରଣ୍ଟର୍ ବିକାଶ ଏବଂ ଅନ୍ୟ ଆନୁଷଙ୍ଗିକ ସ୍ମାର୍ଟପ୍ଲାନ୍‌ର ବ୍ୟବସ୍ଥା କରାଯାଇଛି ।

Leave a Reply