ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗତ ତିନି ଭିତରେ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏହା ପ୍ରଭାବରେ ସୁବର୍ଣ୍ଣ ରେଖା, ବୁଢାବଳଙ୍ଗ, ମହାନଦୀରେ ବନ୍ୟା ସୃଷ୍ଟି ହୋଇଛି ।

ମହାନଦୀରେ ଏବେ ୯.୧୧ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରରୁ ଏବେ ୭.୬ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ନିଷ୍କାସନ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ତିନୋଟି ଗେଟ୍ ବନ୍ଦ କରାଯାଇଛି । ଏବେ ମାତ୍ର ୪୩ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଆଗକୁ ଆଉ ଗେଟ୍ ବନ୍ଦ କରାଯିବ କି ନାହିଁ ସେ ନେଇ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେବ । କାଲି ସୁଦ୍ଧା ବନ୍ୟା ସ୍ଥିତି ସାମାନ୍ୟ ସ୍ୱାଭାବିକ ହେବ ।

ମହାନଦୀ ବନ୍ୟାଜଳ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହେବ । ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲା ପ୍ରଭାବିତ ହେବ । ସେହିଭଳି କଟକର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ଟି ଘାଇ ବନ୍ୟାରେ ସୃଷ୍ଟି ହୋଇଛି । ତେବେ, ଗୋଟିଏ ସ୍ଥାନରେ ମନ୍ୟୁଷକୃତ ନଦୀବନ୍ଧ ଭଙ୍ଗାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Leave a Reply