କରୋନା ବିରୋଧରେ ଲଢ଼ିବାକୁ ମହାପ୍ରଭୁ ଦେଇଛନ୍ତି ୩ଟି ଅସ୍ତ୍ର: ମୁଖ୍ୟମନ୍ତ୍ରୀ

Corona Update

ଭୁବନେଶ୍ୱର: ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ସୃଷ୍ଟି କରିଛି । ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସବୁ ନୀତି ଭଲ ଭାବରେ ଶେଷ ହୋଇଛି । ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲାପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ସର୍ବୋପରି ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ରଥଯାତ୍ରା ଉପରେ ସାରା ବିଶ୍ୱ ନଜର ରଖିଛି ।

ମହାପ୍ରଭୁଙ୍କୁ ଆଶୀର୍ବାଦରୁ ଆମେ ସବୁ ରଥ ରୀତିନୀତିକୁ ସଫଳତାର ସହ ଶୃଙ୍ଖଳିତ ଭାବେ ସମାପନ କରି ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛୁ । ମହାପ୍ରଭୁ ବଡ଼ଦାଣ୍ଡରେ ୪ ଦିନ ରହିଲେ, ପୁରୀ ବାସୀ କେହି ବଡ଼ଦାଣ୍ଡକୁ ଆସିନଥିଲେ । ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ । ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନିବିଡ଼ ସହ ଏକାଠି କରିଥାଏ । ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କୋଭିଡ୍ ଗାଇଡଲାଇନ୍ ମାନି କିପରି କାର୍ଯ୍ୟ କରିହେବ ଶିଖାଇଛି ପୁରୀ ରଥଯାତ୍ରା । ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ । ତେଣୁ କୋଭିଡ୍ ଯୁଦ୍ଧ ଜିତିବାକୁ ଆମକୁ ମହାପ୍ରଭୁ ୩ଟି ଅସ୍ତ୍ର ଦେଇଛନ୍ତି । ୩ ଅସ୍ତ୍ର ହେଉଛି ତ୍ୟାଗ, ସଂଯମ ଓ ଶୃଙ୍ଖଳା । ଏସବୁ ମାନି ଚଳିଲେ ଆମେ କୋଭିଡ୍ ଯୁଦ୍ଧରେ ଜିତିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସାରା ଦେଶ ଅନଲକ୍ ହେଉଛି । ବିଶେଷ କିଛି କଟକଣା ନଥିବା ବେଳେ ଭାରତ ସଂକ୍ରମଣରେ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି । ୪ ଦିନରେ ଦେଶରେ ଏକ ଲକ୍ଷ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ସଂକ୍ରମଣ ବଢ଼ୁଛି । ବର୍ଷା ଋତୁ ମଧ୍ୟ ଚାଲିଛି । ଭ୍ୟାକ୍ସିନ୍ ବାହାରିନଥିବାରୁ କୋଭିଡ୍ ଗାଇଡଲାଇନ୍ ମାନନ୍ତୁ । ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁଜନ, ଶିଶୁମାନଙ୍କ ବିଶେଷ ଯତ୍ନ ନିଅନ୍ତୁ । ବିଶେଷକରି ଯୁବ ସମାଜ କୋଭିଡ୍ ନିୟମ ମାନିବାରେ ହେଳା କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Leave a Reply