କଳାହାଣ୍ଡିରେ ବିଜୁଙ୍କୁ ହୋଇଥିଲା ପଥର ମାଡ, ନବେ ଦଶକର କଥାକୁ ମନେ ପକାଇଲେ ନବୀନ

କଳାହାଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକର ସଂକ୍ରାନ୍ତିରେ କଳାହାଣ୍ଡିକୁ ଦେଇଛନ୍ତି ବିକାଶ ଭେଟି । କଳାହାଣ୍ଡିରେ ସେ ଅତୀତକୁ ମନେ ପକାଇଛନ୍ତି । କେମିତି ୯୦ ଦଶକରେ ମୁଖମନ୍ତ୍ରୀ ଭାବେ ପିତା ବିଜୁ ପଟ୍ଟନାୟକଙ୍କୁ କଳାହାଣ୍ଡି ଗସ୍ତ ବେଳେ ବିରୋଧ କରାଯାଇଥିଲା । କେମିତି ତାଙ୍କ ଉପରକୁ ସେତେବେଳେ ଟେକା ମାଡ ହୋଇଥିଲା ।  ନବେ ଦଶକର ସ୍ମୃତିକୁ ମଞ୍ଚରେ ମନେ ପକାଇଲେ ନବୀନ । ପିତାଙ୍କ ସହ ଘଟିଥିବା ଅତୀତର ସେହି ସ୍ମୃତି ଭିଜା ଘଟଣାକୁ ସତେଜ କରିଛନ୍ତି ପୁତ୍ର ।

ନବେ ଦଶକର କଥା । କଳାହାଣ୍ଡି ଗସ୍ତରେ ଥାଆନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗକୁ ଗଡୁଥାଏ ବିଜୁବାବୁଙ୍କ ଗାଡି । ହଠାତ ବଦଳି ଯାଇଥିଲା ପରିସ୍ଥିତି । ଶାନ୍ତ ଭାବେ ବସିଥିବା ମୁଖ୍ୟମନ୍ତ୍ରୀ ହୋଇପଡିଥିଲେ କ୍ଲାନ୍ତ । କାରଣ ଭବାନୀପାଟଣାର ଷ୍ଟାଚ୍ୟୁ ଛକରେ ଯେଉଁ ଘଟଣା ଘଟିଥିଲା ତାହା ସାଜିଥିଲା ଇତିହାସ ।

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ରାସ୍ତା ମଝିକୁ ଚାଲି ଆସିଥିଲେ ଅନେକ ଲୋକ । ବିରୋଧ କରୁଥିବା ଲୋକେ ଫିଙ୍ଗିଥିଲେ ପଥର । ଫଳରେ ନାକ ଫାଟି ଯାଇଥିଲା ଏବଂ ରକ୍ତସ୍ରାବ ଘଟିଥିଲା । ଏହି ଘଟଣା କାହିଁକି ଏବଂ କ’ଣ ପାଇଁ ଘଟିଲା, ସେନେଇ ପିତା ବିଜୁ ପଟ୍ଟନାୟକଙ୍କୁ ପଚାରିଥିଲେ ନବୀନ । ଯାହାର ଉତ୍ତର ତାଙ୍କୁ କଳାହାଣ୍ଡିର ବିକାଶ କରିବାକୁ ବାଧ୍ୟ କରିଥିବା କହିଛନ୍ତି ନବୀନ ।

ନବୀନ କହିଛନ୍ତି ମୋର ପ୍ରଶ୍ନରେ ବିଜୁ ବାବୁ କହିଥିଲେ, କୌଣସି ପରିସ୍ଥିତ କେତେବେଳେ ମଧ୍ୟ ବଦଳିଯାଏ । କଳାହାଣ୍ଡିକୁ ମୁଁ ବହୁତ ଭଲପାଏ । କିନ୍ତୁ କଳାହାଣ୍ଡିରେ ମୋ ଶରୀରର ଯେତିକି ରକ୍ତ ଝରିଛି, କଳାହାଣ୍ଡି ପାଇଁ ମୁଁ ତାହାର ଦଶ ଗୁଣା ଅଧିକ କାମ କରିବି ବୋଲି କହିଥିଲେ ବିଜୁ ।

Leave a Reply