ବ୍ରହ୍ମପୁର ମଡେଲକୁ ଅନୁସରଣ କରିବାକୁ ପରାମର୍ଶ, ଗୁରୁତର ରୋଗୀଙ୍କ ପାଇଁ ଅଧିକ ଆଇସିୟୁ ବ୍ୟବସ୍ଥା

1 min read
  • ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ
  • କଟକ-ଭୁବନେଶ୍ୱର ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍ ବ୍ୟବସ୍ଥା
  • ଆଗାମୀ ସପ୍ତାହରେ ଭୁବନେଶ୍ୱର-କଟକ ପରିସ୍ଥିତିରେ ଉନ୍ନତି ଆସିବ: ମୁଖ୍ୟମନ୍ତ୍ରୀ
  • ‘କିଛି ଲୋକଙ୍କ ତ୍ରୁଟି ଯୋଗୁଁ ସଂକ୍ରମଣ ବ୍ୟାପୁଛି, ଏହାକୁ ବରଦାସ୍ତ କରାଯିବ ନାହିଁ’
  • ବ୍ରହ୍ମପୁର ମଡେଲକୁ ଅନୁସରଣ କରିବାକୁ ଅନ୍ୟ ଜିଲ୍ଲା ଓ ପୌର ପ୍ରଶାସନକୁ ପରାମର୍ଶ
  • ଜିଲ୍ଲାପାଳ ଚାହିଁଲେ ଟିଏମ୍‌ସି, କୋଭିଡ କେୟାର ସେଣ୍ଟର ଓ ହୋମ୍ ବନ୍ଦ କରିପାରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍‌ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍‌ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ସପ୍ତାହରେ ଭୁବନେଶ୍ୱର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ଅଟେ । ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ୱୟ ରଖି ନିୟମାବଳୀ କଡ଼ାକଡ଼ି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଲୋକ ନିୟମାବଳୀ ଠିକ୍‌ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ- ଭୁବନେଶ୍ୱର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ଜିଲ୍ଲା ମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ TMC, Covid Care Centre ଏବଂ Covid Care Home ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନା ଗୁଡିକରେ ଗୁଣାତ୍ମକ ସେବା ଯୋଗାଇବା ଏବଂ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବା, ଗୋଷ୍ଠୀକୁ ସାଥିରେ ନେଇ ବିଭିନ୍ନ ଜୋନଭିତ୍ତିକ  ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଶେଷଜ୍ଞଙ୍କ ମତ ଅକ୍ଟୋବରରେ ପିକ୍‌ ଛୁଇଁବ କରୋନା, ଆଉ ତା’ପରେ…

ବିଭିନ୍ନ ସରକାରୀ କର୍ମଚାରୀ ମାନେ ସଂକ୍ରମିତ ହେଉଥିବା ଖବରରେ ମୁଖ୍ୟମନ୍ତ୍ରୀ ଉଦବେଗ୍ ପ୍ରକାଶ କରିବା ସହିତ ସରକାରୀ ଅଫିସରେ କୋଭିଡ ନିୟମାନବଳୀକୁ ଆହୁରି କଡ଼ାକଡ଼ି ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ।  ହଟସ୍ପଟ ଜିଲ୍ଲାକୁ ଅଧିକ ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । କୋଭିଡ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୭.୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ସାମାନ୍ୟ ଅଧିକ। ସେହିପରି ମୃତ୍ୟୁ ହାର ସାରା ଦେଶରେ ସର୍ବନିମ୍ନ ରହିଛି ଏବଂ ଏହା ୦.୪୩ ପ୍ରତିଶତ । ଗୁରୁତର ରୋଗୀଙ୍କ ପାଇଁ Step-down ICU ସୁବିଧା କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦ୍ୱୟ ଏବଂ ଭୁବନେଶ୍ୱର-କଟକ ମୁନସିପାଲଟି କର୍ପୋରେସନର କମିଶନର ଦ୍ୱୟ କୋଭିଡ ପରିସ୍ଥିତ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ଏବଂ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି କହିଥିଲେ।
ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ୱା -କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର,ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।

Leave a Reply