ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶୋକ ପାର୍ଥନା କରିଛିନ୍ତି  । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମଧ୍ୟ ଶୋକପାର୍ଥନା କରିଛନ୍ତି । ଆଜି ସକାଳ ୬ଟା ୫୯ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଗତ ୭ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶେଖ୍ ମତଲୁବ ଅଲ୍ଲୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ତାଙ୍କର ପରଲୋକ ଘଟିଛି । ରାଜ୍ୟର ଜଣେ ଜଣାଶୁଣା ରାଜନେତା  ଶେଖ୍ ମତଲୁବ ଅଲ୍ଲୀ ୧୯୪୨ ମସିହା ଡିସେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସ ଟିକେଟରେ ୪ଥର କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପ୍ରତ୍ୟେକ ଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା ।

ସେ ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା ଭଳି ଅଧିକାଂଶ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଜଣେ ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା ଥିଲେ । ମତଲୁବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply