ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଭୁବନେଶ୍ୱର: ଚୀନରୁ ଆମେରିକା, ୟୁରୋପ ଆଉ ଇରାନ୍ । ମାଇଲ୍ ମାଇଲ୍ ଦୂରରେ ଥିଲା କରୋନା ଭାଇରସ୍ । ସାତ ଦରିଆ, ସମୁଦ୍ର ଡେଇଁ ଦିଲ୍ଲୀ ପହଞ୍ଚି ଏବେ ଓଡ଼ିଶାରେ । ଆମ ଘର ପାଖରେ ପହଞ୍ଚିଛି । ତେଣୁ, ଆମ ନିଜ ପାଇଁ ଆମ ପରିବାରର ଭଲ ପାଇଁ ଦାୟିତ୍ୱ ବଢ଼ିଛି । ଆମେ ଭାଇରସକୁ ଘରେ ପଶିବାକୁ ଦେବା ନାହିଁ । ତେଣୁ, ଲକ୍ ଡାଉନ୍ କରାଯାଇଛି । ଗତ ୨୦ ବର୍ଷ ମଧ୍ୟରେ ମୁଁ ବହୁତ ଅନୁରୋଧ କରିଛି, ଯାହାକୁ ଆପଣ ପାଳନ କରୁଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ । କରୋନା ଭାଇରସ୍ ଆପଣଙ୍କ ଘରକୁ ଆସିବା ନଆସିବା ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ସାବଧାନ ରହିଲେ ଏହା ଆପଣଙ୍କ ଘର ଭିତରକୁ ପଶି ପାରିବ ନାହିଁ । ସମସ୍ତେ ନିଜ ପିଲା ଛୁଆ, ବାପା ମାଆଙ୍କ ନାଁରେ ଶପଥ ନିଅନ୍ତୁ । ମୁଁ ଏବେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ୍ ମୋ ସହ ଘରକୁ ଆସି ପରିବାରର କ୍ଷତି ପହଞ୍ଚାଇବ । ଯଦି ବାହାରକୁ ଜରୁରୀ କାମରେ ଯାଏ ତେବେ ଫେରିଲେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇ ଘରେ ପଶିବି ।

ଏହି ଶପଥକୁ ପରିବାର ସହ ପାଠ କରନ୍ତୁ । ନିଜ ଘର ଏଣ୍ଟ୍ରାନ୍ସରେ ଏହାକୁ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାର ଭିଡିଓ କରି ତାଙ୍କ ନିକଟକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

 

Leave a Reply