ସୁନ୍ଦରଗଡ଼-ଯାଜପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ମୁକାବିଲା ପାଇଁ ମିଳିବ ସ୍ୱତନ୍ତ୍ର ଖର୍ଚ୍ଚ…

1 min read
Cm Naveen Declared Special Covid Fund For Sundergarh and Jajpur

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପଶ୍ଚିମ ଓଡ଼ିଶା ପାଇଁ ରାଉରକେଲା ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଆରମ୍ଭ ହେବ । ରାଉରକେଲାରେ କୋଭିଡ୍‌ କେୟାର୍‌ ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି କରାଯିବ । ଏବେ ରାଉରକେଲାରେ ୭୦୦ କୋଭିଡ଼ କେୟାର ଶଯ୍ୟା ରହିଛି । ସହରର ବସ୍ତି ଓ ଜନଗହଳି ସ୍ଥାନରେ କରୋନା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । ଯାଜପୁର ଜିଲ୍ଲାରେ ମଧ୍ୟ ଆଉ ୨୫୦ କୋଭିଡ୍‌ ଶଯ୍ୟା ବଢ଼ାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର କୋଭିଡ୍‌ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କୋଭିଡ୍‌ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି। କଟକ SCB ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର IGHରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର IGH ହସ୍‌ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ଯୋଦ୍ଧା ମାନଙ୍କର ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାରେ କୋଭିଡ୍‌ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା DMFରୁ ସୁନ୍ଦରଗଡରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍‌ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଆଉ CMRFରୁ ୫ କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରାଉରକେଲାର ବସ୍ତି ଅଞ୍ଚଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଉପରେ ଅଧିକ ଫୋକସ୍‌ କରିବା ସହିତ ଘରକୁ ଘର ବୁଲି ପର୍ଯ୍ୟବେକ୍ଷଣ ଓ କଣ୍ଟେଟମେଣ୍ଟ ଜୋନ୍‌ରେ ଟେଷ୍ଟିଂ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଜିଲ୍ଲାରେ କୋଭିଡ୍‌ କେୟାର ହୋମ୍‌ ଓ କୋଭିଡ୍‌ କେୟାର୍‌ ସେଣ୍ଟର ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ରାଉରକେଲା ଷ୍ଟିଲ ପ୍ଲାଣ୍ଟ, NTPC, MCL ଓ OCLକୁ ଧନ୍ୟବାଦ ଜଣାଇଥିଲେ।

ଯାଜପୁର ଜିଲ୍ଲାକୁ ଗତ କିଛି ଦିନ ମଧ୍ୟରେ ୨୬ ହଜାରରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଥିବାରୁ ଏବଂ ଆରୋଗ୍ୟ ହାରକୁ ୮୬.୫ ପ୍ରତିଶତରେ ପହଞ୍ଚାଇ ପାରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ପ୍ରଶାସନ DMFରୁ କୋଭିଡ୍‌ ପରିଚାଳନା ପାଇଁ ୧୩.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଜିଲ୍ଲାପାଇଁ ୫ କୋଟି ଟଙ୍କା ମଞ୍ଜୁର ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହା ସହିତ ଜିଲ୍ଲାରେ କୋଭିଡ୍‌ ଚିକିତ୍ସା ପାଇଁ ଅଧିକ ୨୫୦ ଶଯ୍ୟା ବୃଦ୍ଧି କରିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଭିନ୍ନ କର୍ପୋରେଟ ଓ ଶିଳ୍ପ ସଂସ୍ଥା ସହଯୋଗରେ ଜିଲ୍ଲାରେ ଅଧିକ କୋଭିଡ୍‌ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Leave a Reply