କରୋନା ମୁକାବିଲା ନେଇ ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

Odisha Politics: CM Naveen Declared for Special Power To Asa Anganwadi Karmi

ଭୁବନେଶ୍ୱର: କରୋନା ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ମାନବ ଜାତି ପାଇଁ ଶ୍ରେଷ୍ଠ ଉପାୟ । ସାମାଜିକ ଦୂରତ୍ୱ ମାସ୍କ ବ୍ୟବହାର ସହ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ କରୋନାର ଭୟାଭୟତାକୁ ହ୍ରାସ କରି ହେବ । ରାଜ୍ୟବାସୀଙ୍କ ସହଯୋଗ ଦ୍ୱାରା ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧିନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହଯାଇଛି ଯେ, ରାଜ୍ୟରେ ଦଶ ହଜାର ସଯ୍ୟ ପ୍ରସ୍ତୁତ କରାସରିଛି । ଏଥିସହ ଆବଶ୍ୟକୀୟ ଉପକରଣ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ମଧ୍ୟ ଦିଆଯାଇଛି । କରୋନା ଆରୋଗ୍ୟ ହାର ଏବଂ କରୋନା ମୃତ୍ୟୁ ହାର ଉଭୟରେ ଓଡ଼ିଶା ଅନ୍ୟମାନଙ୍କଠାରୁ ଭଲ ସ୍ଥିତିରେ ରହିଛି । ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ରାଜ୍ୟ ବାହାରେ ରହୁଥିବା ପ୍ରାୟ ୫ ଲକ୍ଷ ଓଡ଼ିଆ ଘରକୁ ଫେରିଛନ୍ତି । ସେମାନଙ୍କ ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଛି । ଏଗୁଡ଼ିକର ପରିଚାଳନା ପାଇଁ ସରପଞ୍ଚଙ୍କ କାର୍ଯ୍ୟ ପ୍ରଶଂସନୀୟ । ସେମାନଙ୍କ ପରିଶ୍ରମ ଓ ତ୍ୟାଗ କରୋନା ସଂକ୍ରମଣକୁ ହ୍ରାସ କରିଛି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଜୁନ୍‌ ମାସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକଥା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେତେଇ ସାରିଛନ୍ତି । ଲକ୍‌ଡାଉନ୍‌ ଧିରେ ଧିରେ ଖୋଲିବା ସହ ଯାତାୟତ ସ୍ୱାଭାବିକ୍‌ ହେବାରେ ଲାଗିଛି । ତେଣୁ କୋଭିଡ୍‌ ପରିଚାଳନାର ବିକେନ୍ଦ୍ରୀ କରଣ ସମୟର ଆହ୍ୱାନ ହୋଇଛି । କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ଗୁରୁତର ରୋଗୀଙ୍କଠାରୁ ଆରମ୍ଭ କରି ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ରୋଗୀ ମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦିଆଯାଇଛି । ବୟସ୍କ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଛି ।

କୋଭିଡ୍‌ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବାକୁ ସବୁ ଗାଁ ଏବଂ ସହରରେ ଓ୍ୱାର୍ଡ ସ୍ତରୀୟ କମିଟି ଗଠନ କରାଯାଇଛି । ଓ୍ୱାର୍ଡ ସ୍ତରୀୟ ଲୋକପ୍ରତିନିଧୀଙ୍କ ସମେତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନେ ଏହି କମିଟିରେ ରହିବେ । କରେନା ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯିବ । ପୁରପଲ୍ଲୀରେ ଥିବା ଗାଁ କଲ୍ୟାଣ ସମିତି କୋଭିଡ୍‌ ପରିଚାଳନା ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ପ୍ରତି କମିଟି ଦଶ ହଜାର ଟଙ୍କା ଖର୍ଚ୍ଚ କରିବାର କ୍ଷମତା ରହିବ । କୋଭିଡ୍‌ କେୟାର ହୋମ୍‌ର ପରିଚାଳନା ଦାୟିତ୍ୱ ପୂର୍ବ ଭଳି ସରପଞ୍ଚଙ୍କ ହାତରେ ନ୍ୟସ୍ତରହିବ । ଆଗକୁ ଏହି ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଅନୂରୁପ ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।

Leave a Reply