୨୦୧୯-୨୦ ବର୍ଷ ପାଇଁ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ବର୍ଷ ପାଇଁ ଲୋକସେବା ଭବନରେ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ଯୁକ୍ତ ଦୁଇର ୧୦ ଜଣ ମେଧିବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଥିଲେ ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ସଚିବ ଶାସ୍ୱତ ମିଶ୍ର । ଏଥିରୁ ଅନୂସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ୫ ହଜାର ୫୦୯ ଜଣ, ସାଧାରଣ ବର୍ଗର ୯,୪୯୧ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ବିଜୁ ଶସକ୍ତିକରଣ ଯୋଜନାରେ ଯୁକ୍ତ-୨ର ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୧୩ ମସିହାରୁ ମାଗଣାରେ ଲାପଟପ୍ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୦ ହଜାର ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯାଇଛି । ଚଳିତବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇ ରାଜ୍ୟସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲ୍ଲାସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଏହା ଫଳରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିଛନ୍ତି ।

ଚଳିତବର୍ଷ ଓସିଏସି ମାଧ୍ୟମରେ ଲାପଟପ୍ ସଂଗ୍ରହ କରାଯାଇ ୩୦ଟି ନୋଡାଲ୍ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ  ଶାସନ ସଚିବ ଅସୀତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply