ଜାଗା ଦେଲେ ସାବାସୀ ପାଇଲେ

1 min read

ଶ୍ରୀମନ୍ଦିର ସୁରକ୍ଷା ଓ ଶ୍ରୀକ୍ଷେତ୍ର ଐତିହ୍ୟ ବିକାଶ ପାଇଁ ସ୍ୱେଚ୍ଛାକୃତଭାବେ ଜାଗା ଦେଇଥିବା ୧୧ଟି ପରିବାର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କରିଛନ୍ତି ସମ୍ୱର୍ଦ୍ଧିତ ।  ସେମାନଙ୍କୁ ଉପହାର ଆକାରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତାରକସୀର ପ୍ରତିମୂର୍ତ୍ତି ପ୍ରଦାନ କରିବା ସହିତ ଉତ୍ତରୀୟ ମଧ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ଅବଦାନର ଉଚ୍ଚପ୍ରଶଂସା କରିବା ସହ ଏହି ପରିବାରମାନଙ୍କ ଅବଦାନ ପାଇଁ ଓଡ଼ିଶାବାସୀ ସେମାନଙ୍କ ନିକଟରେ ଚିର ଋଣୀ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରର ସୁରକ୍ଷା ଶ୍ରୀକ୍ଷେତ୍ରର ବିକାଶ ପାଇଁ ସେମାନଙ୍କ ତ୍ୟାଗକୁ ଆମର ଭବିଷ୍ୟତ ପିଢି ସବୁଦିନ ପାଇଁ ମନେରଖିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟମାନେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ୟାକେଜକୁ ଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସ୍ୱେଚ୍ଛାରେ ଜାଗା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ବହୁତ ଖୁସି ଯେ, ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି ୧୧ଟି ପରିବାର । ଆପଣମାନଙ୍କ ଏ ଅବଦାନ ପାଇଁ ଓଡ଼ିଶାବାସୀ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶ୍ରୀମନ୍ଦିର ଓଡ଼ିଆ ଜାତିର ଅମୂଲ୍ୟ ସମ୍ପତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ଼ ପରିଚୟ । ମହାପ୍ରଭୁଙ୍କ ପାଇଁ ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟହେବ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଭଲ ପ୍ୟାକେଜ କରିଛନ୍ତି  । ଖୁସିର କଥା ୧୧ ଜଣ ବନ୍ଧୁ ଆଜି ଏହି ପ୍ୟାକେଜର ସୁଯୋଗ ନେଇଛନ୍ତି । ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ ଓ ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣମାନଙ୍କ ଏହି ମହାନ ତ୍ୟାଗ ମହାପ୍ରଭୁଙ୍କ ସେବାରେ ନୂଆ ଇତିହାସ ସୃଷ୍ଟି କରିବ।

ଓଡ଼ିଆ ଜାତିର ଭବିଷ୍ୟତ ପିଢ଼ି ଆପଣମାନଙ୍କ ତ୍ୟାଗକୁ ସବୁଦିନ ପାଇଁ ମନେ ରଖିବ । ସମ୍ୱର୍ଦ୍ଧିତ ହୋଇଥିବା ବ୍ୟକ୍ତିମାନେ ହେଲେ ସଂଯୁକ୍ତା ସାମଲ, ଚନ୍ଦ୍ରକାନ୍ତି ଦାସ, କୁମୁଦିନୀ ଗୁରୁ, ରମାଦେବୀ ପାଢୀ, କଳୀଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ରାଜକିଶୋର ସାହୁ, ଶଶିଭୂଷଣ ଦାସ ଏବଂ ସେମାନଙ୍କ ପରିବାରବୃନ୍ଦ । କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ, ରଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ')}

Leave a Reply