ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ ଜଣ ଶିକ୍ଷକ ଏବଂ ୮ ଜଣ ଏଧ୍ୟକ୍ଷଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଶିକ୍ଷାଦାନ ଏକ ମହାନ ବୃତ୍ତି । ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ପୁସ୍ତକଗତ ଶିକ୍ଷା ଦାନ ଉପରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସେମାନଙ୍କ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗୁଣାତ୍ମକ ଶିକ୍ଷା ପ୍ରତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଥିବାବେଳେ ଖୁବଶୀଘ୍ର ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଆଦର୍ଶ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ସହିତ ପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ଅବସରରେ CBSE ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚର ପିଲାମାନଙ୍କ ମଧ୍ୟରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ୯ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ପର୍ଦ୍ଧିତ କରିଥିଲେ । ଏବଂ ଆଦର୍ଶ ବିଦ୍ୟାଳୟର ନୂଆ ୱେବସାଇଟ୍ ଲୋକାର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁ, ବିଭାଗୀୟ ଶାସନ ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply