ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

1 min read

ଭୁବନେଶ୍ୱର : ଏବେ ସରକାରଙ୍କ ମିଶନ୍ ଐତିହ୍ୟ ସଂରକ୍ଷଣ । ପୁରୁଣା କୀର୍ତ୍ତିରାଜିର ପୁନରୁଦ୍ଧାର ସହ ଏହାକୁ କିଭଳି ଭବିଷ୍ୟତ ପୀଢ଼ିପାଇଁ ସାଇତା ଯାଇ ପାରିବ ସେ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଅତ୍ୟତମ ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ଲିଙ୍ଗରାଜ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ଘୋଷଣା ହୋଇଛି ବଡ଼ ପ୍ୟାକେଜ୍ । ଏହାର ନାଁ ରହିଛି ଏକାମ୍ର କ୍ଷେତ୍ର ଯୋଜନା ।

ଏକାମ୍ରକ୍ଷେତ୍ର ଭୁବନେଶ୍ୱର ସାରା ଦେଶର ଏକ ପ୍ରମୁଖ ଶୈବପୀଠଭାବେ ପ୍ରସିଦ୍ଧି ଅର୍ଜନ କରିଛି । ବିଭିନ୍ନ ପୁରାଣରେ ଭୁବନେଶ୍ୱରକୁ ଦ୍ୱିତୀୟ କାଶୀ ଭାବେ ବର୍ଣ୍ଣନା କରାଯାଇଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରତିଦିନ ସାରା ଦେଶରୁ ହଜାର ହଜାର ଭକ୍ତ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି । ମନ୍ଦିର ନଗରୀ ଭାବେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଭୁବନେଶ୍ୱର ଅନେକ ପ୍ରାଚୀନ କୀର୍ତ୍ତିରାଜିରେ ସୁଶୋଭିତ  ହୋଇ ରହିଛି ।

ଏହି ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବେ । ଏହା ଅଧୀନରେ ସୁନ୍ଦର ପ୍ରଦେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁସ୍କରିଣୀର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ ହେବ । ଇ-ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ଟ୍ରାଫିକ୍ ହ୍ରାସ ଓ ଯାତାୟତ ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ । ୪ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା ହେବ । ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟ କରଣ କରାଯିବ । ଏବଂ ମନ୍ଦିର ଚାରିପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ । ମନ୍ଦିର ସମ୍ମୁଖ ରାସ୍ତାରେ ଯାନ ବାହନ ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ । ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧୀନରେ ଭକ୍ତମାନେ ଯେଭଳି ସୁବିଧାରେ ଦର୍ଶନ କରିବେ ସେଥିପାଇଁ ହେବ ବ୍ୟବସ୍ଥା ।

ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ବିନ୍ଦୁ ସାଗର ଜଳକୁ ପରିସ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ । ଏବଂ ତା ସହିତ କେଦାରଗୌରୀ, ପାପ ନାଶିନୀ, ଗୋଦାବରୀ, କୋଟି ତୀର୍ଥ, ଗଙ୍ଗା ଯମୁନା ଏବଂ ଦେବୀ ପାଦହରା ଐତିହ୍ୟ ପୁସ୍କରିଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ । ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯିବ । ଏହି ଯୋଜନା ଦ୍ୱାରା ଜୀବୀକା ହରାଉଥିବା ଉଠା ଦୋକାନୀମାନଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ । ଏବଂ ଭେଣ୍ଡିଂ ଯୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ।  ପକ୍କାଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ବିଏମସି ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଆଇନ୍ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର, ପୂର୍ତ୍ତ ସଚିବ, ମ୍ୟିୁନିସିପାଲ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply