RTIକୁ ନେଇ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପିଠ କାଲି ଶୁଣାଇବେ ଗୁରୁତ୍ୱପୂର୍ଣ୍ଣ ରାୟ

1 min read

ନୂଆଦିଲ୍ଲୀ : ସୂଚନା ଓ ଅଧିକାର ଆଇନ ଅଧୀନରେ ଆସିବ କି ସୁପ୍ରିମକୋର୍ଟ ? ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ RTI ଅଧୀନରେ ଆସିବ କି ? ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇବେ । ଅପରାହ୍ନ ୨ଟାରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇବେ ବୋଲି ଆଜି ସୂଚନା ମିଳିଛି ।

୨୦୧୦ରେ ସୁପ୍ରିମକୋର୍ଟଙ୍କ ସେକ୍ରେଟାରୀ ଜେନେରାଲ, କେନ୍ଦ୍ରୀୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତାକାଲି ରାୟ ପ୍ରକାଶ କରିବେ । ତେବେ ଗତ ଏପ୍ରିଲ ୪ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ବୃହତ୍ତର ବେଞ୍ଚରେ ଦୀର୍ଘ ୯ ବର୍ଷ ଧରି ମାମଲାର ବିଚାର ପରେ କାଲି ଏହାର ରାୟ ପ୍ରକାଶ ପାଉଛି ।

ତେବେ ୨୦୧୦ ଜାନୁଆରୀ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, RTI ଅଧୀନରେ ଆସିପାରିବ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ । କାରଣ, ନ୍ୟାୟିକ ସ୍ୱାୟତ୍ତତା କୌଣସି ବିଚାରପତିଙ୍କ ସ୍ୱାଧିକାର ନୁହେଁ ମାତ୍ର ତାଙ୍କ ଉପରେ ଏକ ଦାୟିତ୍ୱ ନ୍ୟସ୍ତ ହୋଇ ରହିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କିଛିଦିନ ତଳେ ଏକ ପ୍ରତିକ୍ରିୟାରେ କହିଥିଲେ ଯେ, କେହି ଅନ୍ଧାରରେ ରହିବାକୁ ଇଚ୍ଛା କରନ୍ତି ନାହିଁ କିମ୍ବା କାହାକୁ ମଧ୍ୟ ଅନ୍ଧାରରେ ରଖିବାକୁ ଇଚ୍ଛା କରନ୍ତି ନାହିଁ । ସ୍ୱଚ୍ଛତା ରକ୍ଷା ନାଁରେ ଗୋଟିଏ ଅନୁଷ୍ଠାନର ଗରିମାକୁ ନଷ୍ଟ କରାଯାଇପାରିବ ନାହିଁ ବୋଲି କହିଥିଲେ ।

ଦିଲ୍ଲୀ ହାଇକୋର୍ଟଙ୍କ ୮୮ ପୃଷ୍ଠାର ଏହି ରାୟଟି ତତ୍କାଳୀନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କେ.ଜି ବାଲକ୍ରିଷ୍ଣନଙ୍କ ପାଇଁ ଏକ ବଡ଼ ଧକ୍କା ଥିଲା । ଆରଟିଆଇ ଅଧୀନରେ ଜଜ୍ ମାନଙ୍କର ତଥ୍ୟକୁ ସାର୍ବଜନୀନ କରିବାକୁ ସେ ବିରୋଧ କରିଥିଲେ । ଦିଲ୍ଲୀ ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ')}

Leave a Reply