ସୀମାରେ ଡ୍ରାଗନ ଶୁଣାଉଛି ପଞ୍ଜାବୀ ଗୀତ, ଦେଉଛି ମୋଦିଙ୍କୁ ଗାଳି

1 min read
India China

ନୂଆଦିଲ୍ଲୀ: ପୂର୍ବ ଲଦାଖର ହଜାର ଫୁଟ ଉଚ୍ଚ ଶିଖରକୁ ଭାରତୀୟ ସେନା କବ୍‌ଜା କରିସାରିବା ପରେ ଚୀନ୍ ଏବେ ବିଳିବିଳାଉଛି । ଚୀନ୍‌ ସେନା ଏବେ ନୂଆ ରଣକୗଶଳ ଆପଣାଇଛି । ଦୃଢ଼ ମନୋବଳ ସହ ଭାରତ ଗୋଟିଏ ପରେ ଗୋଟିଏ ଶିଖର କବ୍‌ଜା କରୁଥିବା ବେଳେ, ସେମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଚୀନ୍‌ ଏକ ହୀନ ପ୍ରାୟସ କରିଛି । ସୀମାରେ ଚୀନ୍‌ ସେନା ନିଜର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ର ଖବରକୁ ଲଉଡ୍‌ସ୍ପିକର ମାଧ୍ୟମରେ ଭାରତୀୟ ସୈନିକଙ୍କୁ ଶୁଣାଉଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଭାରତୀୟ ସୈନିକମାନଙ୍କୁ ଉସ୍‌କାଉଛି । ମୋଦିଙ୍କ ବିରୋଧରେ ଭାରତୀୟ ସେନାଙ୍କୁ କହି ସେମାନଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିଛି ।

ବାସ୍ତବରେ ଚୀନ୍‌ର ଏଭଳି ରଣକୌଶଳ ହଜାରେ ବର୍ଷ ପୁରୁଣା । ଚୀନ୍‌ର ସାମରିକ ରଣନୀତିଜ୍ଞ ସୁନ୍ ଜୁ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଆର୍ଟ ଅଫ୍ ୱାର୍’ରେ ଲେଖିଛନ୍ତି ଯେ, ଯୁଦ୍ଧ କ୍ଷେତ୍ରରେ ସର୍ବୋତ୍ତମ ରଣନୀତି ହେଉଛି ବିନା ଲଢ଼େଇରେ ବିଜୟ ହାସଲ କରିବା । ଏହି ସମାନ ରଣନୀତି ଉପରେ ଏବେ ଚୀନ୍‌ ସେନା ଏବଂ ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ କାର୍ଯ୍ୟ କରୁଛନ୍ତି । ଚୀନ୍‌ ଏବେ ସୀମାରେ ଭାରତୀୟ ସୈନିକଙ୍କ ବିରୋଧରେ ମନୋବୈଜ୍ଞାନିକ  ଯୁଦ୍ଧ ବା ମାଇଣ୍ଡ୍ ଗେମ୍ ଆରମ୍ଭ କରିଛି ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, 29-30 ଅଗଷ୍ଟରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣରେ ଥିବା ରେଜାଙ୍ଗ ଲା ଏବଂ ରେଚିନ୍ ଲା ଉପରେ ଭାରତୀୟ ସେନା ଚୀନ୍‌ ସେନାକୁ ମଜା ଚଖାଇଥିଲା । ଏହାପରେ ପରେ ଚୀନ୍ ସେନା ଯୁଦ୍ଧ ଟ୍ୟାଙ୍କ୍‌ ଏବଂ ସଶସ୍ତ୍ର ସାମରିକ ଯାନ ଆଣି ସୀମାରେ ମୁତୟନ କରିଥିଲା । ଚୀନ୍‌ ଭାବିଥିଲା ଯେ, ଏଭଳି କରିବା ଦ୍ୱାରା ଭାରତ ଭୟଭୀତ ହୋଇ ପଛକୁ ଫେରିଯିବ ହେଲେ ଚୀନ୍‌ର ଏହା ଭୁଲ୍‌ ଧାରଣା ଥିଲା । ଭାରତୀୟ ସେନା ସ୍ପଷ୍ଟ କରିଦେଲା ଯେ ଯଦି ଚୀନ୍ ସେନା ଲକ୍ଷ୍ମଣ ରେଖା ପାର କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ ।

ଚୀନ୍‌ର ଏହି ଚାଲ୍‌ ଫେଲ ମାରିବା ପରେ ଆଉ ଏକ ଘଟଣା ଘଟିଲା ଯାହା କି ଭାରତୀୟ ସୈନିକଙ୍କ ହସ ରୋକିପାରି ନଥିଲା । ଚୀନ୍‌ ସେନା ପେଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ ନିକଟରେ ପଞ୍ଜାବୀ ଗୀତ ବଜାଇବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ସେହି ଲାଉଡ୍‌ ସ୍ପିକର ଦ୍ୱାରା ଚୀନ୍‌ ପକ୍ଷରୁ କୁହାଯାଉଥିଲା ଯେ, ଭାରତୀୟ ସୈନିକମାନେ ନିଜର ରାଜନେତାଙ୍କ କଥାରେ ଭାସିଯିବା ଉଚିତ୍‌ ନୁହେଁ ।

ଏଭଳି ହୀନ ପ୍ରୟାସ ଦ୍ୱାରା ଚୀନ୍‌ ଭାରତୀୟ ସେନା ମଧ୍ୟରେ ଅସନ୍ତୋଷ ଭରିବାକୁ ଚେଷ୍ଟା କରିବା ସହ ସେମାନଙ୍କ ଆତ୍ମ ବିଶ୍ୱାସକୁ ଭାଙ୍ଗିବାକୁ ଚେଷ୍ଟା କରିଛି । ଚୀନ୍‌ ଭାରତୀୟ ସେନାକୁ ଆହୁରି କହିଛି ଯେ, ନେତାଙ୍କ ରାଜନୀତି ପାଇଁ ଭାରତୀୟ ସେନାଙ୍କୁ ବରଫରେ ଅତ୍ୟଧିକ ଥଣ୍ଡାରେ ମୁତୟନ କରାଯାଇଛି । ଭାରତୀୟ ସୈନିକଙ୍କୁ ଗରମ ଖାଦ୍ୟ ମଧ୍ୟ ଦିଆଯାଉ ନାହିଁ ।

ଏହି ସମାନ ରଣନୀତି ଚୀନ୍‌ ପୂର୍ବରୁ ମଧ୍ୟ ଆପଣାଇ ସାରିଛି । ୧୯୬୨ ଓ ୧୯୬୯ରେ ଚୀନ୍‌ ଏଭଳି ଲାଉଡ୍‌ ସ୍ପିକର ଲଗା ମନୋବୈଜ୍ଞାନିକ ଯୁଦ୍ଧ ପନ୍ଥା ଆପଣାଇଥିଲା ବୋଲି ଭାରତୀୟ ସେନାର ଜଣେ ପୂର୍ବତନ ମୁଖ୍ୟ କହିଛନ୍ତି ।

Leave a Reply