ଭାରତ ସୀମାରେ ୧୨ କିଲୋମିଟର ପଶିଲା ଚୀନ୍‌ ହେଲିକପ୍ଟର !

ନୂଆଦିଲ୍ଲୀ: ଭାରତ ସୀମାରେ ପୁଣି ଚାଇନାର ଅନୁପ୍ରବେଶ । ବେଆଇନ୍‌ ଭାବେ ଚାଇନାର କିଛି ହେଲିକପ୍ଟର ଭାରତ ସୀମାରେଖା ମଧ୍ୟରେ ପ୍ରବେଶ କରିଥିଲା । ଖାଲି ସେତିକି ନୁହେଁ ଚାଇନା ନିଜ ହେଲିକପ୍ଟର ଗୁଡ଼ିକୁ ଭାରତ ସୀମାରେ ପ୍ରବେଶ କରାଇ ପୁଣି ଥରେ ସୀମା ବିବାଦକୁ ତେଜିବାକୁ ଚେଷ୍ଟା କରିଛି ବୋଲି କୁହାଯାଉଛି । ହିମାଚଳ ପ୍ରଦେଶର ଲାହୋଲ୍ ସୀମାରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଚୀନ୍ ହେଲିକପ୍ଟର ଭାରତ ସୀମା ଅତିକ୍ରମ କରି ୧୨ କିଲୋମିଟର ଭିତରକୁ ଚାଲି ଆସିଥିଲା ।

ହିମାଚଳ ପ୍ରଦେଶ ପୋଲିସର ସୂଚନାନୁସାରେ, ଚାଇନାର ହେଲିକପ୍ଟରଗୁଡ଼ିକ ମେ’ ମାସର ପ୍ରଥମ ସପ୍ତାହରେ ଏବଂ ଏପ୍ରିଲର ଶେଷ ସପ୍ତାହରେ ଭାରତ ସୀମାରେ ପ୍ରବେଶ କରିଥିଲା ।

ହିମାଚଳ ପ୍ରଦେଶ ପୋଲିସ ଏନେଇ ମିଲିଟାରୀ ଇଣ୍ଟେଲିଜେନ୍ସ, ଆଇବି ଏବଂ ଆଇଟିବିପିକୁ ସୂଚନା ଦେଇଛି । ହିମାଚଳ ପ୍ରଦେଶ ପୋଲିସ ଆହୁରି କହିଛି ଯେ,  ଗତ ଦେଢ଼ ମାସ ମଧ୍ୟରେ ଚୀନ୍ ସେନା ଲାହୋଲ୍ ଅଞ୍ଚଳରେ ଦୁଇଥର ଅନୁପ୍ରବେଶ କରିଛି ।

କମ୍‌ ଉଚ୍ଚତାରେ ଉଡ଼ୁଥିଲା ହେଲିକପ୍ଟର

ସରକାରୀ ଅଧିକାରୀଙ୍କ କହିବାନୁସାରେ, ଲାହୋଲ ଜିଲ୍ଲା ସାମଦୋହ ପୋଷ୍ଟରୁ ଚାଇନାର ହେଲିକପ୍ଟରଗୁଡିକ ଦେଖିବାକୁ ମିଳିଥିଲା । ଏହି ହେଲିକପ୍ଟରଗୁଡ଼ିକ କମ୍‌ ଉଚ୍ଚତାରେ ଉଡ଼ୁଥିବା ଦେଖାଯାଇଥିଲା । ତେବେ ଚୀନ୍‌ର ଏଭଳି ଆଚରଣ ପାଇଁ ଭାରତୀୟ ସୀମା ସୁରକ୍ଷା ବଳ ଏବଂ ବାୟୁସେନା ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି । ଆଇଟିବିପି ଯବାନମାନେ ସଚେତନ ରହିବା ସହ ଚାଇନାର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ।

ସିକିମ୍‌ରେ ସଂଘର୍ଷ

ପ୍ରାୟ ଏକ ସପ୍ତାହ ପୂର୍ବରୁ ଉତ୍ତର ସିକିମ୍‌ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ହେବାର ଖବର ଆସିଥିଲା । ଏହି ସମୟ ମଧ୍ୟରେ, ଭାରତୀୟ ଏବଂ ଚୀନ୍ ସେନା କର୍ମଚାରୀ ଆକ୍ରମଣାତ୍ମକ ହୋଇପଡ଼ିଥିଲେ । ଯେଉଁଥିରେ କେତେକ ସାମାନ୍ୟ ଆହତ ହୋଇଥିଲେ । ତେବେ ପରେ ଏହାର ସମାଧାନ ହୋଇଥିଲା ।

Leave a Reply