ସୀମାରେ ଉତ୍ତେଜନା ଭିତରେ ଚୀନ ନାଗରିକଙ୍କ ପାଇଁ ଦେବଦୂତ ସାଜିଲେ ଭାରତୀୟ ସୈନିକ

ସିକ୍କିମ: ସିକ୍କିମର ବରଫ ପାହାଡ଼ରେ ରାସ୍ତା ଭୁଲି ଯାଇଥିବା ନାଗରିକଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଛନ୍ତି ଭାରତୀୟ ଜବାନ୍ । ସୂଚନା ମୁତାବକ ୩ ଜଣ ଚୀନ ନାଗରିକ ୩ ସେପ୍ଟେମ୍ବରକୁ ୧୭,୫୦୦ ଫୁଟ ଉଚ୍ଚରେ ରାସ୍ତା ଭୁଲି ଯାଇଥିଲେ । ବରଫ ପାହାଡ଼ରେ ରାସ୍ତା ଭୁଲି ଯାଇଥିବା ଏହି ଚୀନ ନାଗରିକଙ୍କ ଖାଦ୍ୟ ସାମଗ୍ରୀ ମଧ୍ୟ ଶେଷ ହୋଇ ଯାଇଥିଲା । ତିନି ଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ । ଏମାନଙ୍କ ନିକଟରେ ମହଜୁଦ ଅମ୍ଳଜାନ ଶେଷ ହୋଇଯାଇଥିଲା, ଆଉ ସେହି ସମୟରେ ଏମାନଙ୍କ ଉପରେ ଭାରତୀୟ ଜବାନଙ୍କର ନଜର ପଡ଼ିଥିଲା ।

ସୂଚନାଯୋଗ୍ୟ ଭାରତୀୟ ଯବାନ ତିନି ଚୀନ ନାଗରିକଙ୍କୁ ସହାୟତାର ହାତ ବଢାଇଲେ । ଗୋଟିଏ ପକ୍ଷରେ ଚୀନର ନାଗରିକଙ୍କୁ ଭାରତୀୟ ଜବାନ ରକ୍ଷା କରିଥିବା ବେଳେ ଶନିବାରକୁ ଅରୁଣାଚଳ ପ୍ରଦେଶରେ ଚୀନ ସେନା ସୀମାରେ ଭାରତର ୫ ଜଣ ଜବାନଙ୍କୁ ଅପହରଣ କରିଥିବା ଖବର ଆସିଛି । ଏହାର ସୂଚନା ଦେଇଛନ୍ତି ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଙ୍ଗ ଏରିଙ୍ଗ ।

ଭାରତୀୟ ଜବାନଙ୍କ କହିବାନୁଯାୟୀ ହଠାତ୍ ସେମାନଙ୍କୁ କିଛି ଲୋକ ଚିତ୍କାର କରି ସାହାଯ୍ୟ ମାଗୁଥିବାର ଶୁଣିବାକୁ ମିଳିଲା । ତା ପରେ ସେମାନେ ଚୀନ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଗଲେ । ପ୍ରଥମେ ସେମାନଙ୍କର ଚିକିତ୍ସା କରାଗଲା ଓ ତା’ ପରେ ଅମ୍ଳଜାନ ଦିଆଗଲା । ଏହା ସହିତ ପୁଷ୍ଟିକର ଖାଦ୍ୟ ଏବଂ ଗରମ ବସ୍ତ୍ର ମଧ୍ୟ ଦିଆଗଲା । କେବଳ ସେତିକି ନୁହେଁ ଖାଦ୍ୟ ଏବଂ ଜଳ ସହିତ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ମଧ୍ୟ ଜବାନମାନେ ପହଞ୍ଚାଇଦେଲେ । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଯବାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଚୀନ ସୈନିକ ।

Leave a Reply