ଚୀନ୍‌ର ଷଡ଼ଯନ୍ତ୍ର: ଅରୁଣାଚଳ ପ୍ରଦେଶ ସୀମାନ୍ତରେ ରେଳପଥ ପ୍ରତିଷ୍ଠା ଯୋଜନା

1 min read

ବେଜିଙ୍ଗ୍: ଚୀନ୍‌ କରୁଛି ଚକ୍ରାନ୍ତ । ଅରୁଣାଚଳ ପ୍ରଦେଶ ସୀମାନ୍ତରେ ନିର୍ମାଣ କରୁଛି ରେଳପଥ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରୁଣାଚଳ ପ୍ରଦେଶ ତଥା ଭାରତୀୟ ସୀମାନ୍ତ ପାଖାପାଖି ତିବ୍ବତର ଲିଞ୍ଝି ଓ ସିଚୁଆନ୍‌ ପ୍ରଦେଶର ଦକ୍ଷିଣପଶ୍ଚିମରେ ଥିବା ୟା’ଆନ୍‌ ଦେଇ ରେଳପଥ ନିର୍ମାଣ କରିବାକୁ ପ୍ରସ୍ତୁତି କରୁଛି ଚୀନ୍‌ । ତେବେ ଏହି ରେଳପଥ ଉଭୟ ଚୀନ୍‌ ଏବଂ ତିବ୍ବତ ପାଇଁ ଗରୁତ୍ୱ ବହନ କରୁଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଏହି ରେଳପଥ ନିର୍ମାଣ ହେବା ପରେ ଚେଙ୍ଗ୍‌ଡୁରୁ ଲାସାକୁ ଯିବା ନିମନ୍ତେ ମାତ୍ର ୧୩ ଘଣ୍ଟା ସମୟ ଲାଗିବ କିନ୍ତୁ ପୂର୍ବରୁ ଏହାକୁ ୪୮ ଘଣ୍ଟା ସମୟ ଲାଗୁଥିଲା । ୧,୦୧୧ କିଲୋମିଟର୍‌ ବିଶିଷ୍ଟ ଏହି ରେଳପଥରେ ଘଣ୍ଟାପ୍ରତି ୧୨୦ରୁ ୨୦୦ କିଲୋମିଟର୍‌ ବେଗରେ ଟ୍ରେନ୍ ଯାତାୟତ କରିବ ବୋଲି ବିଶେଷଜ୍ଞ କହିଛନ୍ତି । ଏହି ପ୍ରକଳ୍ପ ପାଇଁ ୩୧୯.୮ ବିଲିୟନ୍ ଡଲାର୍‌ ଖର୍ଚ୍ଚ ହେବ ବୋଲି ଚୀନ୍‌ ଗଣମାଧ୍ୟମରୁ ସୂଚନା ମିଳିଛି ।

ତେବେ କ୍ୱିଙ୍ଘାଇ-ତିବ୍ବତ ରେଳପଥ ପରେ ସିଚୁଆନ୍‌-ତିବ୍ବତ ରେଳପଥ ହେଉଛି ଦ୍ୱିତୀୟ ପ୍ରକଳ୍ପ । ଯାହାକି ଉଭୟ ଚୀନ୍‌ ଓ ତିବ୍ଦତ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି । ବିଶ୍ୱର ସବୁଠୁ ସକ୍ରିୟ ଥିବା ଭୂତାତ୍ତ୍ୱିକ ଅଞ୍ଚଳ ‘କ୍ୱିଙ୍ଘାଇ-ତିବ୍ବତ ପ୍ଲେଟ୍ୟୁ’ ମଧ୍ୟ ଦେଇ ଏହାର ନିର୍ମାଣ ହେବ ବୋଲି ଚୀନ୍‌ର ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଚାଇନା ନିଉଜ୍‌’ରେ ପ୍ରକ।ଶ ପାଇଛି ।

ଚୀନ୍‌ ରେଳ ବାଇ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ଯେ, ସିଚୁଆନ୍‌-ତିବ୍ବତ ରେଳପଥର ୟା’ଆନ୍‌- ଲିଞ୍ଝି ସେକ୍ସନ୍‌ ପାଇଁ ଦୁଇଟି ସୁଡ଼ଙ୍ଗ ସହ ଗୋଟିଏ ସେତୁ ଏବଂ ପାୱାର୍‌ ସପ୍ଲାଏ ପ୍ରୋଜେକ୍ଟ ପ୍ରଥମେ ନିର୍ମାଣ କରାଯିବ ।

ତେବେ ସବୁଠାରୁ ବଡ଼ କଥା ହେଲା ଲିଞ୍ଝି ହେଉଛି ଅରୁଣାଚଳ ପ୍ରଦେଶ ସୀମାନ୍ତ ଥିବା ଏକ ଅଞ୍ଚଳ । ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି ପୂର୍ବରୁ ଚୀନ୍‌ ଦାବି କରୁଆସୁଥିବା ବେଳେ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯାଉଛି ।

Leave a Reply