ମସଜିଦ୍‌‌ ପାଇଁ ମେଡ୍ ଇନ୍ ଚାଇନା ନକ୍ସା, ଆଉ ରହିବନି ଗମ୍ବୁଜ…

Xi Zinping

ନୂଆଦିଲ୍ଲୀ: ଚୀନ୍‌ରେ ଇସ୍‌ଲାମ୍‌ ଧର୍ମର ପ୍ରଭାବକୁ ହ୍ରାସ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଏନେଇ ବ୍ରିଟିଶ ଟେଲିଗ୍ରାଫ୍‌ରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, କଲଚରାଲ ଓ୍ୱାଇଟ୍‌ ଓ୍ୱାସ୍‌ କ୍ୟାମ୍ପେନ୍‌ ଆଧାରରେ ଚୀନ୍‌ରେ ଥିବା ଇସ୍‌ଲାମିକ୍‌ ଧର୍ମର ଧର୍ମାନୁଷ୍ଠାନ ତଥା ମସ୍‌ଜିଦ୍‌ର‌ ରୂପରେଖ ବଦଳାଯାଉଛି । ଏମିତିକି ସାଜସଜ୍ଜା ପାଇଁ ଥିବା ବହୁପୂରାତନ ଜିନିଷ ସବୁ ହଟାଯାଉଛି ।

ଚୀନ୍‌ ବିରୋଧରେ ପୂର୍ବରୁ ମଧ୍ୟ ମୁସଲମାନମାନଙ୍କୁ ଦମନ କରିବା ଓ ପ୍ରଭାବଶାଳୀ ମୁସଲମାନଙ୍କୁ ହଇରାଣ କରିବାର ଅଭିଯୋଗ ରହିଛି । କିନ୍ତୁ ଏବେ ପୁରା ଦେଶରେ ମସ୍‌ଜିଦ୍‌ଗୁଡ଼ିକର ରୂପରେଖ ବଦଳାଯାଉଛି । ନିନ୍‌ଝିଆର ରାଜଧାନୀ ୟିନଚୁଆନରେ ଥିବା ନାନ୍‌ଗୁଆନ୍ ମସଜିଦର ଆକର୍ଷଣୀୟ ସବୁଜ ଗୁମ୍ବଦ ଓ ଅନ୍ୟ ସାଜସଜ୍ଜ ଅଂଶକୁ ହଟାଇ ଦିଆଯାଇଛି ।

ଚାଇନାରେ ବ୍ରିଟିଶ ମିଶନ୍‌ର ଡେପୁଟି ହେଡ୍ କ୍ରିଷ୍ଟିନା ସ୍କଟ୍ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ନାଙ୍ଗୁଆନ୍ ମସଜିଦ୍‌ ଗମ୍ପୁଜ ବିନା ଦୃଶ୍ୟମାନ ହେଉଛି । ସେ ଲେଖିଛନ୍ତି ଯେ ଟ୍ରିପ୍‌ ଆଡଭାଇଜର ଏହି ମସଜିଦ୍‌ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି, କିନ୍ତୁ ଏଠାରେ କୌଣସି ବ୍ୟକ୍ତିଙ୍କୁ ବୁଲିବାକୁ ଅନୁମତି ନାହିଁ । ଏହା ବ୍ୟତୀତ ଆରବ ଦେଶ ଷ୍ଟାଇଲ୍‌ରେ ନିର୍ମିତ ଗମ୍ବୁଜକୁ ଲିଟିଲ୍ ମକ୍କା ନାମରେ ପ୍ରସିଦ୍ଧ ସହର ଲିନ୍‌ଜିଆର ମସଜିଦରୁ ହଟାଇ ଦିଆଯାଇଛି । ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସି ଜିନପିଙ୍ଗ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ହେବା ପରଠାରୁ ଚାଇନାରେ ଧାର୍ମ ସଂସ୍ଥାନ ବିରୋଧରେ ଅଭିଯାନ ଗତୀ ପାଇଛି ।

ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଚୀନ୍‌ର ବିଭିନ୍ନ ଧାର୍ମିକ ସ୍ଥଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲା ବୃଦ୍ଧି ପାଇଛି । କମ୍ୟୁନିଷ୍ଟ ପାର୍ଟି ଅନୁଯାୟୀ ବିଭିନ୍ନ ଧର୍ମର ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ବଦଳାଇବାକୁ ଚେଷ୍ଟା କରାଯାଉଛି । ଏମିତିକି ତିବ୍ଦତୀୟ ପିଲାମାନଙ୍କୁ ମଧ୍ୟ ଚାଇନାରେ ବୌଦ୍ଧ ଧର୍ମ ଅଧ୍ୟୟନ କରିବାକୁ ବାରଣ କରାଯାଉଛି । ଏଥିସହିତ ଚର୍ଚ୍ଚ ଏବଂ ମସଜିଦ୍‌ ସହ ଜଡିତ ଅନେକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଖାଲିସେତିକି ନୁହେଁ ଚାଇନାରେ ପୁନଃ ଶିକ୍ଷା ଗ୍ରହଣ ନାମରେ ପ୍ରାୟ ୧୦ ଲକ୍ଷ ମୁସଲମାନଙ୍କୁ କ୍ୟାମ୍ପ କରି ରଖାଯାଇଛି ।

Leave a Reply