ଆଇସକ୍ରିମରୁ ମିଳିଲା କରୋନା ସଂକ୍ରମଣ, କମ୍ପାନୀର ୧୬୬୨ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷଣ

1 min read

ବେଜିଂ: ଗତ ୧୪ ମାସ ହେବ କରୋନା ଭାଇରସ୍ ଦୁନିଆରେ ଆତଙ୍କ ସୃଷ୍ଟି କରି ଚାଲିଛି । ବର୍ତ୍ତମାନ ଏହି ଭାଇରସକୁ ନେଇ ଆହୁରି ଭୟଙ୍କର ଖବର ସାମ୍ନାକୁ ଆସିଛି । ଚିନରୁ ଏକ ଏମିତି ଭୟଙ୍କର ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଆଇସକ୍ରିମରୁ ମିଳିଛି କରୋନା ଭାଇରସର ନମୁନା । ଏପର୍ଯ୍ୟନ୍ତ ସୁଦ୍ଧା ତିନୋଟି ନମୁନା ପଜିଟିଭ ବୋଲି ଚିହ୍ନଟ ହୋଇଯାଇଛି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ମିଲ୍କ ପାଉଡରରେ ତିଆରି ଆଇସକ୍ରିମ ନ୍ୟୁଜିଲ୍ୟାଣ୍ଡ ଏବଂ ୟୁକ୍ରେନରୁ ଆସିଥିଲା । ସେଥିରୁ ସଂକ୍ରମଣ ଚିହ୍ନଟ ହେବାପରେ ବର୍ତ୍ତମାନ ଏହି ଆଇସକ୍ରିମ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ବ୍ୟତୀତ ସମସ୍ତ ପୁରୁଣା ଏବଂ ନୂଆ ଷ୍ଟକ୍ ପରୀକ୍ଷା କରାଯାଉଛି ।

ଏହି ମାମଲା ଉତ୍ତର ଚିନର ତିଆନଜିନ୍ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳର । ଯେଉଁଠାରେ କୋଭିଡ -19 ମହାମାରୀ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ତିନୋଟି ଆଇସକ୍ରିମ ନମୁନାରେ କରୋନା ସଂକ୍ରମଣ ମିଳିଛି । କୁହାଯାଉଛି ଯେ, ଏହି ଆଇସକ୍ରିମ ତିଆରି କରିଥିବା ଡାକିଡୋ ଫୁଡ୍ କମ୍ପାନୀର ଅନେକ କର୍ମଚାରୀ ଏହି ଆଇସ୍କ୍ରିମର କ୍ୟାନଗୁଡ଼ିକ ସଂସ୍ପର୍ଶରେ ଆସିଥିଲେ । କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ ୧୬୬୨ କର୍ମଚାରୀଙ୍କ ଉପରେ ନଜର ରଖାଯାଉଛି । ଆହୁରି ମଧ୍ୟ, ସମସ୍ତ କରୋନା ପରୀକ୍ଷା କରାଯାଉଛି । ଯଦିଓ ଏପର୍ଯ୍ୟନ୍ତ ସୁଦ୍ଧା ୭୦୦ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି ।

ଏନେଇ ଡାକ୍ତରଙ୍କ ମତାମତ କ’ଣ ରହିଛି  ?

ତେବେ ଏନେଇ ୟୁନିଭରସିଟି ଅଫ୍ ଲିଡ୍ସର ଡାକ୍ତର ଷ୍ଟିଫେନ୍ ଗ୍ରିଫିନ୍ କହିଛନ୍ତି ଯେ, ବର୍ତ୍ତମାନ ଆଇସକ୍ରିମରେ ସଂକ୍ରମଣ ହେବାର ଆଶଙ୍କା ନାହିଁ। ସେମାନେ କହିଛନ୍ତି ଯେ, ହୁଏତ ଏହି ଭାଇରସ କୌଣସି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଆସିଥାଇପାରେ । ଏହା ବ୍ୟତୀତ ଡକ୍ଟର ଷ୍ଟିଫେନ୍ ଆହୁରି ମଧ୍ୟ କହିଛନ୍ତି ଯେ ଚାଇନା କମ୍ପାନୀରେ ଏହି ଆଇସ୍କ୍ରିମ୍ ତିଆରି କରାଯାଉଥିବା ବେଳେ ସେଠାରେ ସ୍ୱଚ୍ଛତାର ଅଭାବ ରହିଛି । ଏହାସହ ଆଇସକ୍ରିମକୁ ଥଣ୍ଡା ତାପମାତ୍ରାରେ ରଖାଯାଏ ଫଳରେ ଏଥିରେ ଭାଇରସ ବଞ୍ଚିବାର ସମ୍ଭାବନା ବଢିଯାଏ ।

ନିରନ୍ତର ପରୀକ୍ଷା କରାଯାଉଛି

ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଏହି ଆଇସକ୍ରିମ ବିକ୍ରୟ ବ୍ୟବସାୟରେ ନିୟୋଜିତ ଥିବା ଲୋକଙ୍କୁ ମଧ୍ୟ ପରୀକ୍ଷା କରାଯିବ । ଏହା ବ୍ୟତୀତ, ସେହି ସବୁ ଜିନିଷଗୁଡିକ ମଧ୍ୟ ପରୀକ୍ଷା କରାଯାଉଛି, ଯେଉଁଥିରୁ ଆଇସ୍କ୍ରିମ୍ ତିଆରି ହୋଇଥାଏ । କୁହାଯାଉଛି ଯେ ୪୮୩୬ ବାକ୍ସ ମଧ୍ୟରୁ ୨୦୮୯ ଆଇସକ୍ରିମ ବାକ୍ସକୁ ଏପର୍ଯ୍ୟନ୍ତ ସିଲ୍ କରାଯାଇଛି ।

Leave a Reply