କରୋନା ମୁକାବିଲା: ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମ ସମ୍ପାଦକଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

1 min read

ଭୁବନେଶ୍ୱର: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁଠୁ ଆଗରେ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ମଧ୍ୟ କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ପରିପ୍ରେକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ଆଜି ରବିବାରରେ ମଧ୍ୟ ଖୋଲା ରହିଛି । 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି. ଏସ୍ କୁଟ୍ଟେ ଓ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ ମାନଙ୍କୁ ଡାକି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ କରୋନାକୁ ନେଇ ଆତଙ୍କିତ ହେବାର କୈଣସି କାରଣ ନାହିଁ । ସଚେତନ ହେଲେ ସମସ୍ୟାର ମୁକାବିଲା କରିହେବ । ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଗଣମାଧ୍ୟମ ନିରନ୍ତର ସଚେତନତା ସୃଷ୍ଟି କରିବା ସହ ସାମାଜିକ ଗଣମାଧ୍ୟମରେ ହେଉଥିବା ଗୁଜବରୁ ସମସ୍ତେ ଦୂରେଇ ରହିବା ଲାଗି ପରାମର୍ଶ ଦେଇଛନ୍ତି । କାଶ, ଥଣ୍ଡା ଓ ଜ୍ୱର ଭଳି ସାମାନ୍ୟ ରୋଗରେ ପଡ଼ିଥିବା ଲୋକେ ଅଯଥା ଆତଙ୍କିତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଭଳି ରୋଗରେ ଆକ୍ରନ୍ତ ହୋଇଥିବା ଲୋକଙ୍କୁ  ସେମାନଙ୍କ ପରିବାର ଅନ୍ୟୂନ ୧୪ ଦିନ ପର୍ଯ୍ୟନ୍ତ ପୃଥକ ଭାବେ ରଖି ଚିକିତ୍ସା କରାଇବା ଲାଗି ସେ କହିଛନ୍ତି । ଥଣ୍ଡା, କାଶ ଓ ଜ୍ୱର ପାଇଁ ସରକାର ଔଷଧ ଯୋଗାଇ ଦେବେ । ଏସବୁ ସାମାନ୍ୟ ରୋଗ ପାଇଁ ଆତଙ୍କିତ ହୋଇ ଡାକ୍ତରଖାନାକୁ ଦୌଡ଼ିବାର ଆବଶ୍ୟକତା ନାହିଁ । କାରଣ ଡାକ୍ତରଖାନାକୁ ଗଲେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ଡାକ୍ତରଙ୍କ ପରାମର୍ଶ ନେଇ  ନିୟମିତ ଏବଂ ପୃଥକ ଭାବେ ରହି ଔଷଧ ସେବନ କଲେ ଉପଶମ ମିଳିବ ବୋଲି ସେ ପରାମର୍ଶ ଦେଇଛନ୍ତି  । ହାଡ଼ଫୁଟି ଓ ବସନ୍ତ ରୋଗ ଆକ୍ରାନ୍ତଙ୍କୁ ପରିବାର ମଧ୍ୟରେ ପୃଥକ ରଖି ଚିକିତ୍ସା କରିବା ଲାଗି ଯେଉଁଭଳି ସଚେତନତା ରହିଛି ଠିକ୍ ସେହିଭଳି ପଦକ୍ଷେପ ନେଲେ ଏଭଳି ଏକ ବିପର୍ଯ୍ୟୟରୁ ମୁକ୍ତି ମିଳିବ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍ କୁଟ୍ଟେ କହିଛନ୍ତି ଯେ, କରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ଗୁଜବ ସୃଷ୍ଟି ହେଉଛି । ଏହାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଗଣମାଧ୍ୟମ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ ।  ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ବିପର୍ଯ୍ୟୟ ଲାଗି ଜାରି ଅଧି ନିୟମ ଅନୁସାରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସଂପ୍ରତି ଆମେରିକା ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛି । ସମଗ୍ର ବିଶ୍ୱରେ ଯେହେତୁ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି ତେଣୁ ବାହାର ଦେଶ ଓ ରାଜ୍ୟରେ ରହୁଥିବା ଓଡ଼ିଆ ମାନେ ସେମାନଙ୍କ ଘରକୁ ଫେରିବାର ସମ୍ଭାବନା ରହିଛି । ବାହାର ରାଜ୍ୟ ବା ବାହାର ଦେଶରୁ ଫେରୁଥିବା ଲୋକଙ୍କୁ ପରିବାର ପକ୍ଷରୁ ୧୪ଦିନ ଲାଗି ପୃଥକ ରଖି ଅନୁଧ୍ୟାନ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

 

Leave a Reply