କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଏସପି ପ୍ରତୀକ ସିଂହଙ୍କ ସହ ଫୋନରେ କଥା ହୋଇଛନ୍ତି । ଜିଲ୍ଲା ପୋଲିସ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏସପି ଓ ତାଙ୍କ ଟିମ୍ ଜିଲ୍ଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଓଡ଼ିଶା ପୋଲିସ ମାଓବାଦୀ ବିରୋଧୀ ଅପରେସନ କ୍ରମରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଜଙ୍ଗଲରେ ୪ ଜଣ ହାର୍ଡକୋର ମାଓବାଦୀଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିଲେ । ଏହି ଅପରେସନରେ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଥିଲା ।

ପୂର୍ବରୁ ଫିରିଙ୍ଗିଆ ଥାନା କ୍ଷେତ୍ର ଭିତରେ ଆସୁଥିବା ସୁମରବନ୍ଧ ଜଙ୍ଗଲରେ ଥିବା ମାଓବାଦୀ କ୍ୟାମ୍ପକୁ ଓଡ଼ିଶା ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପ୍ ଧ୍ୱଂସ କରିଥିଲା । ସେଠାରୁ ମଧ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

Leave a Reply