ରାଜ୍ୟର ତୃତୀୟ ପ୍ଳାଜ୍‌ମା ବ୍ୟାଙ୍କ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ବିଶ୍ୱ ଏବଂ ରାଜ୍ୟ ବିଶ୍ୱ ମାହାମାରୀକୁ କରୋନାକୁ ସାମ୍ନା କରୁଛି । ଏହାର କୌଣସି ନିର୍ଦ୍ଧିଷ୍ଟ ଔଷଧ କିମ୍ୱା ଟିକା ବାହାରିନଥିବା ବେଳେ ପ୍ଳାଜ୍‌ମା ଥେରାପି ହଜାର ହଜାର କୋଭିଡ ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ନୂଆ ଆଶାର କିରଣ ପାଲଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ଆଇଜିଏଚ୍‌ରେ ରାଜ୍ୟର ତୃତୀୟ ପ୍ଳାଜ୍‌ମା ବ୍ୟାଙ୍କ୍‌ ଉଦ୍‌ଘାଟନ୍‌ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନ୍ସଂ ଜରିଆରେ ଏହି ବ୍ୟାଙ୍କକୁ ଉଦ୍‌ଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ କରୋନା ମୁକାବିଲା ଦିଗରେ ଏହି ପ୍ଳାଜ୍‌ମା ବ୍ୟାଙ୍କ୍‌ ଲୋକଙ୍କ ଆଶା ଆକାଂକ୍ଷା ପୂରା କରିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସେ ଆହୁରୀ କହିଛନ୍ତି ଯେ, କଟକ ଏବଂ ଭୁବନେଶ୍ୱରରେ ପ୍ଳାଜ୍‌ମା ଥେରାପିର ଟ୍ରାଏଲ ରେଜଲ୍ଟ ସମସ୍ତଙ୍କ ପାଇଁ ଖୁସିର ବିଷୟ । ଏହାପରେ ଆଇଜିଏଚରେ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟଲ ଓ ବୁର୍ଲା ମେଡିକାଲରେ ପ୍ଳାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହେବ । ଗତ ୧୫ ଦିନ ମଧ୍ୟରେ ୭୦ ୟୁନିଟ୍ ପ୍ଳାଜ୍‌ମା ସଂଗ୍ରହ ହୋଇପାରିଥିବା ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ପ୍ଳାଜ୍‌ମା ଥେରାପି ଫଳରେ ୮ ଜଣ ଗୁରୁତର କରୋନା ରୋଗୀ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ୧୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଏଣୁ ଏହି ପ୍ଳାଜ୍‌ମା ଇନିସେଟିଭ୍‌କୁ ଆଗକୁ ନେବାକୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ କରୋନା ମୁକ୍ତ ରୋଗୀଙ୍କୁ ପ୍ଳାଜ୍‌ମା ଦାନ ଦିଗରେ ଉତ୍ସାହିତ କରିବେ ।

Leave a Reply