ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଦୁଇ ସହିଦଙ୍କ ପରିବାରକୁ ମିଳିବ ୨୫-୨୫ ଲକ୍ଷ ଟଙ୍କାର ସହାୟତା

1 min read

ଭୁବନେଶ୍ୱର:  ଭାରତ ଓ ଚୀନ୍‌ ସୀମାରେ ଥିବା ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ଦୁଇ ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ରାଜ୍ୟ ସରକାର ୨୫-୨୫ ଲକ୍ଷ ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ସହାୟତା ରାଶି ଦିଆଯିବ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ଟ୍ୱିଟ୍ କରିଥିଲେ ।  ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ ଜରିଆରେ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ ଯେ, ‘ଲଦାଖ ଗଲୱାନ୍ ଘାଟିରେ ହୋଇଥିବା ସେନାର ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି । ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।’

ଉଲ୍ଲେଖନୀୟ ଯେ,ସୋମବାର-ମଙ୍ଗଳବାର ରାତିରେ ଲଦାଖର ଗଲବାନ ଘାଟିରେ ଚୀନ୍ ସୈନିକଙ୍କ ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ମଧ୍ୟ ରହିଛନ୍ତି । କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜର ନନ୍ଦୁରାମ ସୋରେନ୍ ଦେଶ ପାଇଁ ଚରମ ତ୍ୟାଗ କରିଛନ୍ତି । ଏହି ଦୁଇ ଯବାନ ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ ।

 

Leave a Reply