ଭୋକ ଉପାସରେ ଥିବା ବାନର ସେନାଙ୍କୁ ଉଦ୍ଧାର ପାଇଁ ଏମିତି ଚାଲିଥିଲା ରେସ୍କ୍ୟୁ ଅପରେସନ୍‌

(ଅନୁଜ ଦାସ): ପୁରାଣରେ ବର୍ଣ୍ଣନା ରହିଛି ଯେ ଲଙ୍କାରୁ ଦେବୀ ସୀତାଙ୍କୁ ଉଦ୍ଧାର ପାଇଁ ବାନର ସେନା ନିର୍ମାଣ କରିଥିଲେ ରାମ ସେତୁ । ସମୁଦ୍ରପଥ ଅତିକ୍ରମ କରିବା ପାଇଁ ୩୦ ମାଇଲର ଏହି ରାମ ସେତୁ ନିର୍ମାଣ କରାଯାଇଥିଲା । କିନ୍ତୁ ଏ ଯୁଗରେ ବାନର ସେନାଙ୍କୁ ଉଦ୍ଧାର ପାଇଁ ନିର୍ମାଣ ହୋଇଛି ଭିନ୍ନ ଏକ ଅସ୍ଥାୟୀ ସେତୁ ଯାହାର ଦୈର୍ଘ୍ୟ ହେଉଛି ୩୦୦ ମିଟର ।

ଛତିଶଗଡ଼ର କାଙ୍କେର ଜିଲ୍ଲାର ଦୁଧାବା ବନ୍ଧରେ ତିଆରି ହୋଇଛି ବାଉଁଶର ଏହି ଅସ୍ଥାୟୀ ପୋଲ । ଖବର ନେବାରେ ଜଣାପଡ଼ିଛି,  ଦୁଧାବା ବନ୍ଧ ମଝିରେ ଥିବା ଋଷି ପାହାଡ଼ରେ ଗତ ୩ ମାସ ହେବ ଶତାଧିକ ମାଙ୍କଡ ଫସିଯାଇଥିଲେ । ଜଳସ୍ତର ବଢ଼ିବାରୁ ଏହି ପାହାଡରୁ ମୁକୁଳିବା ମୁସ୍କିଲ ହୋଇପଡିଥିଲା ।  ଏହି ଖବର କାହାରି ପାଖରେ ନଥିଲା ।  କିଛି ଦିନ ତଳେ ଏହି ବନ୍ଧକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ପାହାଡ଼ରେ ଥିବା ଶତାଧିକ ମାଙ୍କଡକୁ ଦେଖି ଜଳ ସେଚନ ବିଭାଗକୁ ଜଣାଇଥିଲେ ।

ଏହାପରେ ମାଙ୍କଡ ଦଳକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଲା ରେସ୍କ୍ୟୁ ଅପରେସନ । ବନ ବିଭାଗ ସ୍ଥିତି ପରିଖିବା ପରେ ଜାଣିବାକୁ ପାଇଲା ଯେ ପ୍ରକୃତରେ ପାହାଡ଼ରେ ଶତାଧିକ ମାଙ୍କଡ଼ ଅଖିଆ ଅପିଆ ଫସିରହିଛନ୍ତି । ଏହା ପରେ ଆରମ୍ଭ ହେଲା ମିଶନ ମଙ୍କି ଅପରେସନ ।  ସ୍ଥାନୀୟ ଲୋକଙ୍କ ସହାୟତାରେ ତିଆରି ହେଲା ଅସ୍ଥାୟୀ ବାଉଁଶ ପୋଲ । ରାମ ସେତୁ ଭଳି ଏହି ଜଳାଶୟ ଉପରେ ତିଆରି ହେଲା ୩୦୦ ମିଟରର ବାଉଁଶ ପୋଲ ।  ପୋଲ ତିଆରି ହେଲା ପରେ ବି ମାଙ୍କଡ ଦଳ ଏହି ବାଉଁଶ ପୋଲରେ ଆସିଲେ ନାହିଁ ।  ବନ୍ଧରେ ବହୁ ପାଣି ଥିବାରୁ ଏହି ଅସ୍ଥାୟୀ ପୋଲରେ ଫେରିବାକୁ ଭୟ କରୁଥିଲେ ମାଙ୍କଡ଼ । ଏହା ପରେ ବନ ବିଭାଗ ଜଳ ସେଚନ ବିଭାଗକୁ ଜଳସ୍ତର କମାଇବାକୁ ଜଣାଇଲା । ବନ୍ଧରୁ ୫୦୦ କ୍ୟୁସେକ ପାଣି ନିଷ୍କାସନ କରିବା ପାଇଁ ଜଳସେଚନ ବିଭାଗ ପ୍ରକ୍ରିୟା ଆରମ୍ଭ କଲା । ବନ୍ଧରୁ ଜଳସ୍ତର କମିବା ପରେ ମାଙ୍କଡ଼ ଦଳ ନିର୍ଭୟରେ ବାଉଁଶ ସେତୁ ଦେଇ ପଳାଇଆସିଲେ । ୬ ଦିନର ପରିଶ୍ରମ ପରେ ଶେଷରେ ସଫଳ ହେଲା ମଙ୍କି ଅପରେସନ ।

ମାଙ୍କଡ ଦଳ ଏହି ପାହାଡରେ ଫସିଥିବା ଖବର ମିଳିବା ପରଠାରୁ ବନବିଭାଗର କର୍ମଚାରୀ ମୋଟର ବୋଟ୍ ସାହାଯ୍ୟରେ ପାହାଡ଼କୁ ଯାଇ ମାଙ୍କଡ଼ମାନଙ୍କୁ ଫଳମୂଳ ଓ ପନିପରିବା ଦେଉଥିଲେ ।  ତେବେ ମଙ୍କି ଅପରେସନ ସଫଳ ହେବା ପରେ ବି ଏହି ଅସ୍ଥାୟୀ ବାଉଁଶ ପୋଲକୁ ଭଙ୍ଗା ଯିବ ନାହିଁ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଯ଼ଦି ପାହାଡ଼ରେ ଆଉ କିଛି ମାଙ୍କଡ ଫସିଥିବେ ତେବେ ଏହି ବାଉଁଶ ପୋଲ ଦେଇ ଅତି ସହଜରେ  ଆସିପାରିବେ ।

 

Leave a Reply