୨୦୨୦ରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଚ୍ୟାଲେଞ୍ଜ କଣ ?

ଭୁବନେଶ୍ୱର: ବର୍ଷ ୨୦୨୦ ହେବ ସବୁ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜର ବର୍ଷ । ନୂଆବର୍ଷ ସଫଳତାର ବର୍ଷ ହେବ ବୋଲି ପୂର୍ବାନୁମାନ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ଓ ବିଜେଡି ପାଇଁ ସାଂଗଠନିକ ନିର୍ବାଚନ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କଂଗ୍ରେସକୁ ଘାରିଛି ଗୋଷ୍ଠୀ କନ୍ଦଳର ସମାଧାନ ଚିନ୍ତା ।

 

ବର୍ଷ ୨୦୨୦ ଓଡ଼ିଶା ରାଜନୀତିରେ ନୂଆ ଚ୍ୟାଲେଞ୍ଜ ଆଣିବ । ଆଶଙ୍କା ଓ ସମ୍ଭାବନାର ବର୍ଷ ହେବ ୨୦୨୦ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନୂଆବର୍ଷରେ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି । ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ସାଂଗଠନିକ ନିର୍ବାଚନ । ଫେବ୍ରୁଆରୀ ଶେଷ ବେଳକୁ ସାଂଗଠନିକ ନିର୍ବାଚନ ଶେଷ କରିବା ଦଳ ପାଇଁ ଚ୍ୟାଲେଞ୍ଜ । ସେହିପରି ପୌର, ମହାନଗର ଓ ସମବାୟ ନିର୍ବାଚନ ଲାଗି ଦଳ ତୃଣମୂଳରୁ ଅଧିକ ପ୍ରସ୍ତୁତ ରହିବ । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚଇବା ଓ କେନ୍ଦ୍ରଠାରୁ ଓଡ଼ିଶାର ନ୍ୟାଯ୍ୟ ଦାବି ହାସଲ କରିବା ହେଉଛି ବିଜେଡି ପାଇଁ ଚ୍ୟାଲେଞ୍ଜ ।

୨୦୨୦ରେ ବିଜେପି ପାଇଁ ଚ୍ୟାଲେଞ୍ଜ ହେଉଛି, ସାଂଗଠନିକ ନିର୍ବାଚନ ଶେଷ କରି ସହମତିରେ ରାଜ୍ୟ ସଭାପତି ଚୟନ । ମହାନଗର ନିଗମ, ପୌର ଓ ସମବାୟ ନିର୍ବାଚନରେ ଅଧିକ ସିଟ୍‌ରେ ବିଜୟ ଲାଭ, ୩୭ ହଜାର ବୁଥ କମିଟି ଗଠନ ସହ ପ୍ରତ୍ୟେକ ଅଞ୍ଚଳରେ ସଂଗଠନକୁ ମଜବୁତ କରିବା, ବିଧାନସଭା ଭିତରେ ଓ ବାହାରେ ସ୍ୱର ଶାଣିତ କରିବା ହେଉଛି ବିଜେପି ପାଇଁ ନୂଆବର୍ଷର ଚ୍ୟାଲେଞ୍ଜ ।

କଂଗ୍ରେସ ପାଇଁ ମଧ୍ୟ ବିଭିନ୍ନ ଚ୍ୟାଲେଞ୍ଜ ରହିଛି । ଜାନୁଆରୀ ଶେଷ ସୁଦ୍ଧା ବ୍ଲକ୍‌, ଜିଲ୍ଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ସହ ୩ ଛାମୁଆ ସଂଗଠନ ଯୁବ, ମହିଳା ଓ ଛାତ୍ର କଂଗ୍ରେସ ସଭାପତି ନାଁ ଘୋଷଣା, ଦଳରେ ଅନ୍ତଦ୍ୱନ୍ଦ୍ୱ ଦୂର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି, ମହାନଗର ନିଗମ, ପୌର ଓ ସମବାୟ ନିର୍ବାଚନରେ ଭଲ ପ୍ରଦର୍ଶନ କଂଗ୍ରେସ ଲାଗି ୨୦୨୦ରେ ବଡ଼ ଚ୍ୟାଲେଞ୍ଜ ହେବ ।

ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ୨୦୨୦ରେ ୩ ରାଜନୈତିକ ଦଳ ଚ୍ୟାଲେଞ୍ଜକୁ କିପରି ସାମ୍ନା କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

 

Leave a Reply