ବଦଳିଲା FDI ପଲିସି, ଭାରତରେ ନିବେଶ ନାଁରେ ଆଉ ଚାଲାକି କରିପାରିବନି ଚୀନ

1 min read

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାର ସୁଯୋଗ ନେଇ ଭାରତୀୟ କମ୍ପାନୀଙ୍କ ଅଧିଗ୍ରହଣ ଉଦ୍ୟମକୁ ବିଫଳ କରିବା ପାଇଁ କେନ୍ଦ୍ର ସରକାର FDI ପଲିସିରେ ପରିବର୍ତ୍ତନ ଆଣିଛନ୍ତି । ସଂଶୋଧିତ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ପଲିସି (FDI) ଦ୍ୱାରା ଭାରତ ସୀମାକୁ ଲାଗି ରହିଥିବା ଦେଶଙ୍କ ପାଇଁ ପ୍ରତିବନ୍ଧକ ଲାଗୁ ହୋଇଛି । ଫଳରେ ପଡ଼ୋଶୀ ଦେଶ ସରକାରଙ୍କ ଅନୁମତି ବିନା ଦେଶରେ ନିବେଶ କରିପାରିବେ ନାହିଁ ।

ଚୀନ, ବାଂଲାଦେଶ ଓ ପାକିସ୍ତାନ ପ୍ରମୁଖ ପଡ଼ୋଶୀ ରାଷ୍ଟ୍ରଙ୍କ ଉପରେ ଅଙ୍କୁଶ ଲାଗିଛି । ଏହାଦ୍ୱାରା ଚୀନର ଆକ୍ରାମକ ଅଧିଗ୍ରହଣ ନୀତିକୁ ପ୍ରତିହତ କରାଯାଇ ପାରିବ ବୋଲି ଆଶା କରାଯାଉଛି । କରୋନା ପରବର୍ତ୍ତୀ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ସୁଯୋଗ ନେଇ ଚୀନର କମ୍ପାନୀ ଗୁଡ଼ିକ ଦୁନିଆର ଅନ୍ୟାନ୍ୟ ଦେଶର କମ୍ପାନୀକୁ ଟେକ୍ ଓଭର କରିବାକୁ ଉଦ୍ୟମ କରୁଛନ୍ତି ।

ନିକଟରେ ଭାରତର ଘରୋଇ ବ୍ୟାଙ୍କ HDFCର ଏକ କୋଟିରୁ ଅଧିକ ସେୟାର ଚୀନର ସେଣ୍ଟ୍ରାଲ ବ୍ୟାଙ୍କ କିଣିଥିଲା । ଫଳରେ HDFCରେ ଚୀନ ସେଣ୍ଟ୍ରାଲ୍ ବ୍ୟାଙ୍କର ଅଂଶଧନ ୧ ପ୍ରତିଶତରୁ ଅଧିକ ହୋଇଛି । କରୋନା କାରଣରୁ ଦୁନିଆର ସେୟାର ମାର୍କେଟ କ୍ରାସ୍ କରୁଥିବା ବେଳେ ଚୀନ ଏହାକୁ ସୁଯୋଗ ଭାବେ ନେଇ ଅନ୍ୟ ଦେଶରେ ନିଜ ନିବେଶକୁ ବଢ଼ାଉଛି । ଫଳରେ ଭବିଷ୍ୟତରେ ବିଶ୍ୱ ବଜାର ଉପରେ ଚୀନର ଆଧିପତ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

Leave a Reply