ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ, ୨ ଦିନ ଧରି ବୁଲିବେ ବନ୍ୟା ପ୍ରଭାବିତ ଅଞ୍ଚଳ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବୈଶିଷ୍ଠଙ୍କ ନେତୃତ୍ୱରେ ଏହି ଟିମ୍ ବନ୍ୟା କ୍ଷୟକ୍ଷତି ଆକଳନ କରିବେ । ଓଡ଼ିଶାରେ ୨ଦିନ ଧରି ବନ୍ୟାଞ୍ଚଳ ବୁଲି ଏକ ରିପୋଟ୍ ପ୍ରସ୍ତୁତ କରିବ କେନ୍ଦ୍ରୀୟ ପ୍ରତିନିଧି ଦଳ ।

 

ଏହି ଟିମ୍ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଟିମରେ କୃଷି, ଜଳ ସମ୍ପଦ ଓ ସଡ଼କ ପରିବହନ ବିଭାଗ ସଦସ୍ୟ ସାମିଲ ହେବେ । ବନ୍ୟାଞ୍ଚଳ ପରିଦର୍ଶନ କରି ୧୭ ତାରିଖ ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବ ଏହି ଟିମ୍ ।

 

ଗତ ବନ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେବେ ରାଜ୍ୟ ସରକାର । ଏହି ବୈଠକରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ୍ କୁମାର ଶର୍ମା, ଏସଆରସି ପ୍ରଦୀପ୍ତ ଜେନା ଓ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ରହିବେ । ତେବେ ବିଳମ୍ବରେ କେନ୍ଦ୍ରୀୟ ଟିମ୍ ଆସିବା ନେଇ ପ୍ରଶ୍ନ ଉଠାଇଥିଲେ ରାଜନୈତିକ ଦଳ. ଏହା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ ସବୁ ପ୍ରକାରର ପାରମ୍ପରିକ ଚାଷୀ । ଗତ ବନ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି ।

Leave a Reply